ସାଉଥ୍ ଏସିଆନ୍ ଗେମ୍ସ: ଦ୍ୱିତୀୟ ଦିନରେ ଭାରତକୁ ୨୭ ପଦକ

କାଠମାଣ୍ଡୁ,୩ା୧୨/ଏଜେନ୍ସି: ଚଳିତ ସାଉଥ୍ ଏସିଆନ୍ ଗେମ୍ସ(ସ୍ୟାଗ୍)ର ତ୍ରୟୋଦଶ ସଂସ୍କରଣରେ ଦ୍ୱିତୀୟ ଦିନରେ ମଙ୍ଗଳବାର ଭାରତ ୨୭ଟି ପଦକ ହାସଲ କରି ସର୍ବମୋଟ ୪୪ଟି ପଦକ (୨୩ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ୍) ସହ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ଆଥଲେଟ୍ମାନେ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଓ ଶୁଟିଂ କ୍ଷେତ୍ରରେ ପ୍ରଭାବଶାଳୀ ପ୍ରଦର୍ଶନ ପୂର୍ବକ କରି ଦ୍ୱିତୀୟ ଦିନରେ ୪ଟି ସ୍ୱର୍ଣ୍ଣ ସମେତ ୧୦ଟି ପଦକ ମିଳିଛି। ସେହିପରି ଟାଏକ୍ୱୋଣ୍ଡୋରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ ଓ ୩ଟି ବ୍ରୋଞ୍ଜ୍ ପଦକ ମିଳିଥିବା ବେଳେ ବ୍ୟାଡ୍ମିଣ୍ଟନ୍ ଓ ଟେବଲ୍ ଟେନିସ୍ରେ ଭାରତକୁ ସମୁଦାୟ ୪ଟି ସ୍ୱର୍ଣ୍ଣପଦକ ମିଳିଛି। ସେହିପରି ଶୁଟିଂରେ ଭାରତକୁ ୪ଟି ସ୍ୱର୍ଣ୍ଣ ସମେତ ୯ଟି ପଦକ ମିଳିଛି। ମେହୁଲି ଘୋଷ ୨୫୩.୩ ପଏଣ୍ଟ୍ ସହ ସ୍ୱର୍ଣ୍ଣ ପାଇଛନ୍ତି। ଓଡ଼ିଆ ଶୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ୨୫୦.୮ ପଏଣ୍ଟ୍ ସହ ରୌପ୍ୟ ପଦକ ପାଇଥିବା ବେଳେ ଶ୍ରେୟା ଅଗ୍ରୱାଲ୍ ୨୨୭.୨ ପଏଣ୍ଟ୍ ସହ ବ୍ରୋଞ୍ଜ୍ ପାଇଛନ୍ତି। ସେହିପରି ୫୦ ମିଟର ୩ପି ଇଭେଣ୍ଟ୍ରେ ଚେନ୍ ସିଂହ ସ୍ୱର୍ଣ୍ଣ ଓ ଅଖିଲ ଶିଓରାନ୍ ରୌପ୍ୟ ପଦକ ପାଇଛନ୍ତି। ୨୫ ମିଟର ସେଣ୍ଟର୍ ଫାୟର୍ ପିସ୍ତଲରେ ଯୋଗେଶ ସିଂହ ଓ ଗୁରପ୍ରୀତ୍ ସିଂହ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇଛନ୍ତି।

ଆଥଲେଟିକ୍ସରେ ୧୦୦ ମିଟର ମହିଳା ଦୌଡ଼ରେ ଅର୍ଚ୍ଚନା ସୁଶୀନ୍ଦ୍ରନ୍, ମହିଳା ହାଇଜମ୍ପ୍ରେ ଏମ. ଜସ୍ନା, ପୁରୁଷ ହାଇ ଜମ୍ପ୍ରେ ସର୍ବେଶ ଅନୀଲ କୁଶାରେ ଓ ୧୫୦୦ ମିଟର. ପୁରୁଷ ଦୌଡ଼ରେ ଅଜୟ କୁମାର ସରୋଜ ଏହି ପଦକଗୁଡ଼ିକ ହାସଲ କରିଛନ୍ତି। ସୁଶୀନ୍ଦ୍ରନ୍ ୧୧.୮୦ ସେକେଣ୍ଡ୍ ସମୟ ନେଇଥିବା ବେଳେ ଜସ୍ନା ୧.୭୩ ମିଟର ଉଚ୍ଚକୁ ଡେଇଁଥିଲେ। ସେହିପରି ମହିଳା ହାଇ ଜମ୍ପ୍ରେ ରୁବିନା ଯାଦବ ୧.୬୯ ମିଟର ସହ ବ୍ରୋଞ୍ଜ୍ ପଦକ ପାଇଛନ୍ତି। କୁଶାରେ ୨.୨୧ ମିଟର ଉଚ୍ଚକୁ ଡେଇଁଥିବା ବେଳେ ଏଥିରେ ଚେତନ୍ ବାଲାସୁବ୍ରମନ୍ୟା ୨.୧୬ ମିଟର ସହ ରୌପ୍ୟ ପାଇଛନ୍ତି। ସେହିପରି ସରୋଜ ୩ ମିନିଟ୍ ୫୪.୧୮ ସେକେଣ୍ଡ୍ ସମୟ ନେଇଥିବା ବେଳେ ଅଜିତ କୁମାର ୩ ମିନିଟ୍ ୫୭.୧୮ ସେକେଣ୍ଡ୍ ସହ ରୌପ୍ୟ ପାଇଛନ୍ତି। ପରେ ମହିଳା ୧୦ ହଜାର ମିଟର ଦୌଡ଼ରେ ୩୫ ମିନିଟ୍ ୭.୯୫ ସେକେଣ୍ଡ୍ ସହ କବିତା ରୌପ୍ୟ ପଦକ ପାଇଥିବା ବେଳେ ମହିଳା ୧୫୦୦ ମିଟର ଦୌଡ଼ରେ ଚନ୍ଦା ୪ ମିନିଟ୍ ୩୪.୧୫ ସେକେଣ୍ଡ୍ ସହ ରୌପ୍ୟ ଏବଂ ୪ ମିନିଟ୍ ୩୫.୪୬ ସେକେଣ୍ଡ୍ ସମୟ ସହ ଚିତ୍ରା ପାଲାକିଜ୍ ବ୍ରୋଞ୍ଜ୍ ପାଇଛନ୍ତି।