ସାଉଥ୍ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ : ମୟଙ୍କଙ୍କ ଶତକ, ବିରାଟଙ୍କ ଅପରାଜିତ ଅର୍ଦ୍ଧଶତକ

ପୁନେ, ଏଜେନ୍ସି : ଓପନର ମୟଙ୍କ ଅଗ୍ରୱାଲଙ୍କ ଶତକ ଓ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହାୟତାରେ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ସାଉଥ୍ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଭାରତ କବଜାରେ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୩ ୱିକେଟ୍ ହରାଇ ୨୭୩ ରନ୍ ସଂଗ୍ରହ କରିଛି। ଏହା ସହ ଘରୋଇ ଦଳ ମଜଭୁତ ସ୍ଥିତିରେ ରହିଛି। ଖରାପ ଆଲୋକ ଯୋଗୁଁ ୮୫.୧ ଓଭର ଖେଳ ସମ୍ଭବ ହୋଇଥିଲା। ଷ୍ଟମ୍ପସ ଅପସାରଣ ବେଳକୁ ବିରାଟ କୋହଲି ୬୩ ଓ ଆଜିଙ୍କ୍ୟ ରାହାଣେ ୧୮ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ସାଉଥ୍ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଡା ତିନିଟି ଯାକ ୱିକେଟ୍ ନେଇଥିଲେ। ଏହି ପଡ଼ିଆ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବ ଲକ୍ଷ୍ୟ କରି ଉଭୟ ଦଳର ଅଧିନାୟକ ପ୍ରଥମ ଟେଷ୍ଟର ଚୂଡାନ୍ତ ଏକାଦଶରେ ଜଣେ ଲେଖାଏଁ ଖେଳାଳି ପରିବର୍ତ୍ତନ କରିଛନ୍ତି। ଭାରତୀୟ ଦଳରରେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀଙ୍କ ସ୍ଥାନରେ ଦ୍ରୁତ ବୋଲର ଉମେଶ ଯାଦବ ଓ ସାଉଥ୍ ଆଫ୍ରିକା ଦଳରେ ଡେନ୍ ପିଏଡଟଙ୍କ ସ୍ଥାନରେ ଆନରିଚ୍ ନୋର୍ଜେଙ୍କୁ ସାମିଲ କରାଯାଇଛି।

ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଇନିଂସ୍ ଓପନ କରିଥିଲେ। ଉଭୟ ସାଉଥ୍ ଆଫ୍ରିକାର ଭର୍ଣ୍ଣନ୍ ଫିଲାଣ୍ଡର ଓ କାଗିସୋ ରବାଡାଙ୍କ ବୋଲିଂକୁ ଅରମ୍ଭରୁ ଜଗିରଖି ଖେଳିଥିଲେ। ପ୍ରଥମ ୱିକେଟରେ ଏହି ଯୋଡି ୧୦ ଓଭର ଖେଳିବାକୁ ସକ୍ଷମ ହୋଇଥିଲେ। ଦଳୀୟ ସ୍କୋର ୨୫ ରନ୍ ରହିଥିବା ବେଳେ ପ୍ରଥମ ମ୍ୟାଚ୍ର ଉଭୟ ଇନିଂସରେ ଶତକ ହାସଲ କରିଥିବା ରୋହିତ ଶର୍ମା ପ୍ରତିପକ୍ଷ ଫାଷ୍ଟ ବୋଲର ରବାଡାଙ୍କ ବୋଲିଂରେ ୱିକେଟକିପର କ୍ୱିଣ୍ଟନ୍ ଡି କଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୧୪ ରନ୍ କରିଥିଲେ। ତାଙ୍କ ପରେ ଚେତେଶ୍ୱର ପୁଜାରା ବ୍ୟାଟିଂ କରିବାକୁ ଆସି ଅପରାଜିତ ମୟଙ୍କଙ୍କୁ ଉଚିତ ସହାୟତା ଦେଇଥିଲେ। ଉଭୟ ଭ୍ରମଣକାରୀ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ପୁଜାରା ଓ ଅଗ୍ରୱାଲ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଯୋଡି ୪୧ ଓଭର ଖେଳିଥିଲେ। ଦ୍ୱିତୀୟ ୱିକେଟରେ ଏମାନେ ୧୪୮ ରନ୍ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୬୩ ରନରେ ପୁଜାରା ବ୍ୟକ୍ତିଗତ ୫୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ।

ସେ ମଧ୍ୟ ରବାଡାଙ୍କ ଓଭରରେ ଡୁ ପ୍ଲେସିସଙ୍କ ଦ୍ୱାରା ସ୍ଲିପରେ କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ। ପୁଜାରାଙ୍କ ପରେ ଦ୍ୱିତୀୟ ର୍ୟାଙ୍କଡ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। କୋହଲି ଉଚ୍ଚକୋଟୀର ବ୍ୟାଟିଂ କରି ମୟଙ୍କୁ ସହାୟତା ଦେଇଥିଲେ। ମୟଙ୍କ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ। କୋହଲିଙ୍କ ସହ ମିଶି ତୃତୀୟ ୱିକେଟରେ ସେ ୨୫ ରନ୍ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୯୮ ରନ୍ରେ ମୟଙ୍କ ବ୍ୟକ୍ତିଗତ ୧୦୮ ରନ୍ କରି ଆଉଟ୍ ହୋଇଥିଲେ। ଏହା ମଧ୍ୟରେ ୧୬ଟି ଚୌକା ଓ ୨ଟି ଛକା ରହିଥିଲା। ମୟଙ୍କ ସାଥୀ ଖେଳାଳି ପୁଜାରାଙ୍କ ପରି ଡୁ ପ୍ଲେସିସଙ୍କ ଦ୍ୱାରା ସ୍ଲିପରେ କ୍ୟାଚ୍ ଆଉଟ୍ ହୋଇଥିଲେ। ପରେ କୋହଲି ଓ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ। ଚତୁର୍ଥ ୱିକେଟରେ ଏହ÷ି ଯୋଡି ୭୫ ରନ୍ ସଂଗ୍ରହ କରିଥିଲେ। କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ।