ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା: ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଙ୍କ ନାରେ ମାମଲା ରୁଜୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମଡେଲ ସୌମ୍ୟରଂଜନ ମୃତ୍ୟୁର ଦୀର୍ଘ ଅଢ଼େଇ ମାସ ପରେ ପୋଲିସ ମାମଲା ରୁଜୁ କରିଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱରର ଇନଫୋସିଟି ପୋଲିସ ଷ୍ଟେସନରେ ପ୍ରେମିକା ସୋନାଲି ନନ୍ଦ ଏବଂ ତାଙ୍କ ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମା- ଝିଅଙ୍କ ବିରୁଦ୍ଧରେ ଧାରା ୩୦୬(ଆତ୍ମହତ୍ୟା ପାଇଁ ଉସକାଇବା) ଏବଂ ଆଇପିସିର ଧାରା ୩୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଜାନୁଆରୀ ୩୦ରେ ସୌମ୍ୟ ଆତ୍ମହତ୍ୟା କରିଥିଲେ। ତାଙ୍କ ସୁସାଇଡ ନୋଟରେ ସେ ତାଙ୍କ ମୃତ୍ୟୁ ପାଇଁ ସୋନାଲିଙ୍କୁ ଦାୟୀ କରିଥିଲେ। ସୌମ୍ୟଙ୍କ ଭଉଣୀ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ ସେହି ସମୟରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା।

କୌଣସି କାର୍ଯ୍ୟାନୁଷ୍ଠାନ ନହେବା ନେଇ ପରିବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଏ ନେଇ ମାମଲା ରୁଜୁ ପାଇଁ ନିର୍ଦେଶ ଦେଇଥିଲେ।