ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ଶୁଣାଣୀ କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିସନରେଟ୍ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଏପଟେ ଏହି ମାମଲାକୁ ୩ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ବି ଏପର୍ଯନ୍ତ ସୌମ୍ୟଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ତଥା ତାଙ୍କ ବାନ୍ଧବି ସୋନାଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ ଯାହାକୁ ନେଇ ପରିବାର ଲୋକ ନ୍ୟାୟ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏହି ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ଆସନ୍ତା ୩ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭୁବନେଶ୍ୱର ଡିସିପି ଉମାଶଙ୍କରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୂଯାୟୀ ଗତ ଜାନୁଆରୀ ୩୦ ତାରିଖରେ ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ ଓ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଛାଡି ଯାଇଥିଲେ। ଯେଉଁଥିରେ ସ୍ପଷ୍ଟ ଭାବରେ ତାଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ବାନ୍ଧବି ସୋନାଲି ନନ୍ଦ ଦାୟୀ ବୋଲି ଲେଖାଯାଇଥିଲା। ମାତ୍ର ଏତେ ସବୁ ପ୍ରମାଣ ପାଇବା ପରେ ବି ପୁଲିସ କାହିଁକି ଚୁପ୍ ବସିଛି ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।