କ୍ୱାଲା ଲୁମ୍ପୁର, ଏଜେନ୍ସି : ବୁଧବାରଠାରୁ ମାଲେସିଆ ରାଜଧାନୀ କ୍ୱାଲା ଲୁମ୍ପୁରରେ ଅନୁଷ୍ଠିତ ଇସଲାମିକ ରାଷ୍ଟ୍ରଗୋଷ୍ଠୀଙ୍କ ଶୀର୍ଷ ସମ୍ମିଳନୀରେ ମୁସଲିମଙ୍କ ସମସ୍ୟା ସମ୍ପର୍କିତ ଆଲୋଚନା ବନ୍ଦ କରିବା ପାଇଁ ସାଉଦି ଆରବ ମାଲେସିଆକୁ ତାଗିଦ କରିଛି। ଇସଲାମିକ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କଳିର ମଞ୍ଜି ବୁଣିବାକୁ ସାଉଦି ଆରବ ମାଲେସିଆକୁ ମନା କରିଛି। ସାଉଦି ଆଭିମୁଖ୍ୟକୁ ସଂଯୁକ୍ତ ଆରବ ରାଷ୍ଟ୍ରସଂଘ ସମର୍ଥନ କରିଛି। ଉଭୟ ସାଉଦି ଆରବ ଓ ସଂଯୁକ୍ତ ଆରବ ରାଷ୍ଟ୍ରସଂଘ ହେଉଛନ୍ତି ଅର୍ଗାନାଇଜେସନ୍ ଅଫ୍ ଇସଲାମିକ କୋଅପରେସନସ (ଓଆଇସି)ର ଦୁଇ ଟାଣୁଆ ସଭ୍ୟ। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ସମଗ୍ର ମୁସଲିମ ଜାତିଙ୍କ ବିରୋଧୀ ବୋଲି ସାଉଦି ଆରବ ମାନିବାକୁ ପ୍ରସ୍ତୁତ ନୁହେଁ। ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ରିୟାଦ ନିରପେକ୍ଷତା ଅବଲମ୍ବନ କରୁଛି। ଗତ ଅକ୍ଟୋବରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିୟାଦ ଗସ୍ତ କରି ସୀମାପାର ଆତଙ୍କୀ ବିଷୟରେ ସାଉଦି ରାଜାଙ୍କୁ ଅବଗତ କରିଥିଲେ।
ସେହିପରି ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ସଂଯୁକ୍ତ ଆରବ ରାଷ୍ଟ୍ରସଂଘ କହିସାରିଛି। ସାଉଦି ଆରବ ଓ ସଂଯୁକ୍ତ ଆରବ ରାଷ୍ଟ୍ରସଂଘଙ୍କ ନିଜେ ଇମ୍ରାନ ମାଲେସିଆ ପ୍ରଧାନମନ୍ତ୍ରୀ ଓ ତୁର୍କୀ ରାଷ୍ଟ୍ରପତିଙ୍କୁ ମନାଇ କ୍ୱାଲା ଲୁମ୍ପୁର ବୈଠକ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ଇମ୍ରାନ ଚାହୁଁଥିଲେ, ମାଲେସିଆ ଅଥବା ତୁର୍କୀ ମଧ୍ୟରୁ କେହି ଜଣେ କ୍ୱାଲା ଲୁମ୍ପୁର ବୈଠକରେ କଶ୍ମୀର ପ୍ରସଙ୍ଗ ଉଠାନ୍ତୁ। କିନ୍ତୁ ସେଭଳି କିଛି ହେବାର ସମ୍ଭାବନା ନାହିଁ ବୋଲି ଅନୁଭବ କରିବା ପରେ ଇମ୍ରାନ ଶେଷ ମୁହୂର୍ତ୍ତରେ ମାଲେସିଆ ଗସ୍ତ ବାତିଲ କରିଥିଲେ। ପାକିସ୍ତାନର ଏ ପ୍ରକାର ଆଚରଣରେ ଅନ୍ୟ ମୁସଲିମ ରାଷ୍ଟ୍ରମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦରେ ଚୀନର କଶ୍ମୀର ପ୍ରସ୍ତାବକୁ ଅନ୍ୟ ଚାରିଜଣ ସ୍ଥାୟୀ ସଭ୍ୟ ଅଗ୍ରାହ୍ୟ କରି ଦେଇଛନ୍ତି। ଫଳରେ ଉଭୟ ଚୀନ ଓ ପାକିସ୍ତାନ ଆନ୍ତର୍ଜାତିକ ଦରବାରରେ ଅପମାନିତ ହୋଇଛନ୍ତି। ନିକଟ ଅତୀତରେ ପାକିସ୍ତାନର ଆର୍ôଥକ ସଙ୍କଟ ଦୂର କରିବା ପାଇଁ ରିୟାଦ ରାଜି ହୋଇଥିଲା। କିନ୍ତୁ କ୍ୱାଲା ଲୁମ୍ପୁର ବୈଠକରେ ମାଲେସିଆର ଇସଲାମିକ ରାଷ୍ଟ୍ରସମୂହକୁ ନେତୃତ୍ୱ ଅଭିଳାଷ ସାଉଦି ଆରବ ନିକଟରେ ଧରାପଡ଼ିଯାଇଛି।