ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୨୧ ତାରିଖରୁ ଆଂଶିକ ଭାବେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗ୍ରୀନ ସିଗନାଲ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସଓପି ଜାରି କରିଛି। କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ହିଁ ସ୍କୁଲ ଖୋଲିପାରିବ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବାକୁ ଅନୁମତି ମିଳିଛି, ତାହାପୁଣି ଅଭିଭାବକଙ୍କ ପରାମର୍ଶ ଓ ଶିକ୍ଷକଙ୍କ ଲିଖିତ ଅନୁମତି ପରେ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ। ଏଥିସହିତ ସ୍କୁଲରେ ମାସ୍କ ପରିଧାନ ସହିତ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ବୋଲି ଦର୍ଶାଯାଇଛି। ପ୍ରର୍ଥନା, କ୍ରୀଡା ଏବଂ ଅନ୍ୟାନ୍ୟ ଏକତ୍ରିତ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ବାରଣ କରାଯିବା ସହିତ ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଲକ୍ଷଣ ନଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ହିଁ ପ୍ରବେଶ ଅନୁମତି ରହିବ।
ସେହିପରି ଛାତ୍ରଛାତ୍ରୀ ଯେପରି ପରସ୍ପରକୁ ନୋଟବୁକ୍, ପେନସିଲ, ପେନ, ପାଣିବୋତଲ ଦିଆନିଆ ନ କରନ୍ତି ଓ ଛାତ୍ରଛାତ୍ରୀ ମଧ୍ୟରେ ୬ ଫୁଟ ଦୂରତା ବଜାୟ ରହିବ ସେଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ଏହା ବ୍ୟତୀତ ଲ୍ୟାବରେ ବ୍ୟବହୃତ ସାମଗ୍ରୀକୁ ସାନିଟାଇଜ କରିବାକୁ ପରାମର୍ଶ ଦିଆଯାଇଛି। ସ୍କୁଲ ପରିସରରେ କ୍ୟାଫେ, କ୍ୟାଣ୍ଟିନ ଓ ମେସ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିବ। କେବଳ ୫୦ ପ୍ରତିଶତ କର୍ମଚାରୀ ସ୍କୁଲ ଆସିବେ। ବାୟୋମେଟ୍ରିକ ଉପସ୍ଥାପନା ବ୍ୟବସ୍ଥାର ବିକଳ୍ପ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏସଓପିରେ ଦର୍ଶାଯାଇଛି। ଅନ୍ୟପଟେ ଅନଲାଇନ ଶିକ୍ଷାର ବ୍ୟବସ୍ଥା ଜାରି ରହିବ। ସେହିପରି ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ନେବା ଆଣିବା ବେଳେ ମଧ୍ୟ ସାମାଜିକ ଦୂରତା ମାନିବାକୁ ପଡ଼ିବ।