ନୂଆଦିଲ୍ଲୀ: ଏକ ଦୁର୍ଘଟଣାରେ ଆହତ ହୋଇ ବିଛଣାରେ ପଡ଼ିପଡ଼ି ଦିନ କାଟୁଥିବା ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ଏହି ଯୁବତୀଙ୍କ ନାମ ପ୍ରଜ୍ଞା। ଦୁର୍ଘଟଣାରେ ପ୍ରଜ୍ଞାଙ୍କର ଦୁଇଟି ଯାକ ଆଣ୍ଠୁ ଅଚଳ ହୋଇଯାଇଥିଲା। ସେ ଠିକ୍ ଭାବରେ ଚଲାବୁଲା କରିପାରୁନଥିଲେ। ଗତକାଲି ସୋନୁଙ୍କ ସହାୟତାରେ ସର୍ଜରୀ କରାଯିବା ପରେ ୱାକର୍ ସହାୟତାରେ ସେ ଧୀରେ ଧୀରେ ଚାଲିବା ଆରମ୍ଭ କଲେ। ଏଭଳି ସହାୟତା ପାଇଁ ସୋନୁଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ପ୍ରଜ୍ଞା ଓ ତାଙ୍କ ପରିବାର।
ପ୍ରଜ୍ଞାଙ୍କ ବାପା ବିଜୟ ମିଶ୍ରା ଉତ୍ତର ପ୍ରଦେଶ ଗୋରଖପୁରସ୍ଥିତ ପାଦରି ବଜାରର ଜଣେ ପୁରୋହିତ। ତାଙ୍କ କହିବା ଅନୁସାରେ, ପ୍ରଜ୍ଞା ଫେବୃଆରୀ ମାସରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲା। ତା’ର ଦୁଇଟିଯାକ ଆଣ୍ଠୁ ନଷ୍ଟ ହୋଇଯାଇଥିଲା। ସର୍ଜରୀ ଦ୍ୱାରା ହିଁ ଦୁଇ ଆଣ୍ଠୁକୁ ଠିକ୍ କରାଯାଇପାରିବ ବୋଲି କହିଥିଲେ ସ୍ଥାନୀୟ ଡାକ୍ତର। ଏଥିପାଇଁ ଦରକାର ହେଉଥିଲା ପ୍ରାୟ ଦେଢ଼ ଲକ୍ଷ ଟଙ୍କା। ଏତେ ଟଙ୍କା ଖର୍ଚ୍ଚ କରିବା ପାଇଁ ସେ ସକ୍ଷମ ନଥିଲେ। ଲ’ ପଢ଼ୁଥିବା ପ୍ରଜ୍ଞାଙ୍କୁ ସହାୟତା କରିବା ପାଇଁ ସମ୍ପର୍କୀୟ ଓ କିଛି ରାଜନେତାଙ୍କୁ ଅନୁରୋଧ କରାଯାଇଥିଲା। ମାତ୍ର କୌଣସି ସୁଫଳ ମିଳିନଥିଲା। ଅଗଷ୍ଟ ପ୍ରଥମ ସପ୍ତାହରେ ସେ ସୋନୁଙ୍କୁ ଏ ବାବଦରେ ଟୁଇଟ୍ କରିଥିଲେ। ସୋନୁ ସହାୟତା କରିବା ପାଇଁ ତାଙ୍କୁ ଦିଲ୍ଲୀ ଡକାଇଥିଲେ। ବୁଧବାର ଗାଜିଆବାଦରେ ପ୍ରଜ୍ଞାଙ୍କର ଆଣ୍ଠୁ ପ୍ରତ୍ୟାରୋପଣ ସର୍ଜରୀ ସଫଳ ହେଲା ଓ ସେ ବର୍ତ୍ତମାନ ଚଲାବୁଲା କରିପାରୁଥିବା ପ୍ରଜ୍ଞାଙ୍କ ବାପା କହିଛନ୍ତି। ଟ୍ରେନ୍ ଟିକେଟଠାରୁ ଆରମ୍ଭ କରି ହସ୍ପିଟାଲର ସମସ୍ତ ଖର୍ଚ୍ଚ ସୋନୁ ହିଁ କରିଛନ୍ତି ବୋଲି ସେ କହିଛନ୍ତି।