କଂଗ୍ରେସରେ ପୁଣି ‘ଚିଠି ବୋମା’ : ସୋନିଆଙ୍କୁ ପତ୍ର ଲେଖିଲେ ୟୁପିର ୯ ବରିଷ୍ଠ ନେତା

ନୂଆଦିଲ୍ଲୀ, ଏଜେନ୍ସି: କଂଗ୍ରେସର ୨୩ ଜଣ ବରିଷ୍ଠ ନେତାଙ୍କ ‘ଚିଠି ବୋମା’ର କମ୍ପନ ଏବେ ବି ଶାନ୍ତ ହୋଇନାହିଁ। ଇତି ମଧ୍ୟରେ ଦଳରେ ଆଉ ଏକ ଚିଠି ବୋମା ବିସ୍ଫୋରଣ ହୋଇଛି। ଉତ୍ତରପ୍ରଦେଶର ୯ ଜଣ ନେତା କଂଗ୍ରେସର ଆନ୍ତରୀଣ ଅଧ୍ୟକ୍ଷା ସୋନିଆଗାନ୍ଧୀଙ୍କୁ ଚିଠି ଲେଖି ଦଳକୁ ବଞ୍ଚାଇବା ନିମନ୍ତେ ଅନୁରୋଧ କରିଛନ୍ତି। ପୂର୍ବତନ ସାଂସଦ ସନ୍ତୋଷ ସିଂହ, ପୂର୍ବତନ ମନ୍ତ୍ରୀ ସତ୍ୟଦେବ ତ୍ରିପାଠୀ, ପୂର୍ବତନ ବିଧାୟକ ବିନୋଦ ଚୌଧୁରୀ, ଭୂଧର ନାରାୟଣ ମିଶ୍ର, ନେକଚନ୍ଦ ପାଣ୍ଡେ, ସ୍ୱୟଂ ପ୍ରକାଶ ଗୋସ୍ୱାମୀ ଓ ସଞ୍ଜୀବ ସିଂହ ଏହି ଚିଠି ଲେଖିଛନ୍ତି। ଏହି ୪ ପୃଷ୍ଠାର ଚିଠିରେ ଏହି ନେତାମାନେ ଦଳକୁ ବଞ୍ଚାଇ ରଖିବାକୁ ହେଲେ ସୋନିଆଙ୍କୁ ପରିବାର ମୋହରୁ ଉପରକୁ ଉଠିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ଏଥିରେ ସେହି ନେତାମାନେ କାହାର ନାମ ଉଲ୍ଲେଖ କରି ନଥିଲେ ହେଁ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା ଦଳର ମହାସଚିବ ପ୍ରିୟଙ୍କାଙ୍କ ପ୍ରତି ଇସାରା କରିଥିବା କୁହାଯାଉଛି।

ସୋନିଆଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ ଆପଣଙ୍କୁ ରାଜ୍ୟର କଂଗ୍ରେସ ସ୍ଥିତି ସମ୍ପର୍କରେ ଅବଗତ କରାଯାଉନାହିଁ। ପ୍ରିୟଙ୍କା ଯେହେତୁ ରାଜ୍ୟର ପ୍ରଭାରୀ ଅଛନ୍ତି ତେଣୁ ରାଜ୍ୟ ପ୍ରସଙ୍ଗ ଆପଣଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ତାଙ୍କର। ଗତ ୧ ବର୍ଷ ଧରି ଆପଣଙ୍କ ଭେଟିବାକୁ ଆମେ ସମୟ ମାଗି ଆସୁଛୁ, ମାତ୍ର ଆମକୁ ସମୟ ମିଳୁନାହିଁ। ବେତନଭୋଗୀ ଲୋକମାନେ ଦଳକୁ ଦଖଲ କରି ବସିଛନ୍ତି। ଏହି ଲୋକମାନେ ନାଁ ଦଳର ପ୍ରାଥମିକ ସଦସ୍ୟ ଅଛନ୍ତି, ନା ଦଳର ବିଚାରଧାରା ସହ ପରିଚିତ ଅଛନ୍ତି। ଅଥଚ ଯେଉଁ ଲୋକମାନେ ଦଳ ସହ ଦୀର୍ଘଦିନ ଧରି ରହିଛନ୍ତି ସେମାନଙ୍କୁ ଅଣଦେଖା କରାଯାଉଛି ଓ ଅପମାନିତ କରାଯାଉଛି।

ଏପରିକି ବରିଷ୍ଠ ନେତାମାନଙ୍କୁ ଦଳରୁ ବାହାର କରି ଦିଆଯାଉଛି, ଅପମାନିତ କରାଯାଉଛି। ଏପରିକି ବରିଷ୍ଠ ନେତାମାନଙ୍କୁ ଦଳରୁ ବାହାର କରି ଦିଆଯାଉଛି। ଯୁବ ଗୋଷ୍ଠୀ ପ୍ରତି କଂଗ୍ରେସ ଉଦାସୀନ ମନୋଭାବ ପୋଷଣ କରୁଛି ଓ ଯାହା ସାଧାରଣରେ ଏକ ନକରାତ୍ମକ ବାର୍ତ୍ତା ଯାଉଛି। ଦଳର ଦୁଇ ପ୍ରମୁଖ ସଙ୍ଗଠନ ଏନ୍ଏସ୍ୟୁଆଇ ଓ ଯୁବକଂଗ୍ରେସ ନିଷ୍କ୍ରିୟ ହେବାରେ ଲାଗିଛି। ତେଣୁ ଏହା ଦଳକୁ ଦିନକୁ ଦିନ ଦୁର୍ବଳ କରୁଛି ବୋଲି ଏହି ନେତାମାନେ ଚିଠିରେ ଉଲ୍ଲେଖ କରିଛନ୍ତି।