ବାପାଙ୍କ ବନ୍ଦ ଥିବା ଜୋତା କାରଖାନା ଖୋଲିଲେ ପୁଅ

ଟିଟିଲାଗଡ଼, ଏନ୍ଏନ୍ଏସ୍: ବାପା କରିଥିବା ଜୋତା କାରଖାନା ବନ୍ଦ ହୋଇପଡିଥିବାବେଳେ ତାକୁ ତାଙ୍କ ପୁଅ ଖୋଲିଛନ୍ତି। ଶିଳ୍ପ ବିହୀନ ଟିଟିଲାଗଡ଼ ଅଞ୍ଚଳରେ ୧୯୮୫ ମସିହାରେ ସ୍ୱର୍ଗତ ଗଙ୍ଗାଧର ମେହେର ସ୍ଥାପନ କରିଥିଲେ ମେହେର ସୁଜ ଇଣ୍ଡଷ୍ଟ୍ରି। ଏଥିରେ ସ୍ଥାନୀୟ ଅଞ୍ଚଳର କାରିଗର ଓ ରାଜ୍ୟ ବାହାରୁ ମଧ୍ୟ କିଛି କାରିଗରଙ୍କୁ ଆଣି କାରଖାନାକୁ ଆଗକୁ ବଡ଼ାଇଥିଲେ। ନିଜର ହାତ ତିଆରି ଜୋତା ପାଇଁ ସେହି ସମୟରେ କାରଖାନାଟି ବହୁ ପ୍ରସିଦ୍ଧ ଲାଭ କରିଥିଲା। ସେହି ସମୟରେ ରାଜ୍ୟର ପୁଲିସ, ଗୃହରକ୍ଷୀ ଓ ବନବିଭାଗର କର୍ମଚାରୀଙ୍କ ପାଇଁ ଜୋତା ଏହି କାରଖାନାରୁ ତିଆରି ହେଉଥିଲା। ପରେ ଓଡ଼ିଶା ପୁଲିସ ବିଭାଗ ତାଙ୍କ କର୍ମଚାରୀଙ୍କ ଜୋତାର ମଡେଲ ପରିବର୍ତ୍ତନ କରିବା ଫଳରେ ଉନ୍ନତମାନର ଦାମିକା ମେସିନ କିଣିବା କାରଖାନା ପକ୍ଷରେ ଅସମ୍ଭବ ହୋଇପଡ଼ିଲା। ଫଳ ସ୍ୱରୂପ ସରକାରୀ ପ୍ରୋତ୍ସାହନର ଅଭାବ ଏବଂ କୌଣସି ବ୍ୟାଙ୍କ ଋଣ ନ ଦେବା ଫଳରେ କାରଖାନାଟି ବନ୍ଦ ହୋଇଯାଇଥିଲା। ଦୀର୍ଘ ପାଞ୍ଚବର୍ଷ ପରେ କାରଖାନାକୁ ନିଜସ୍ୱ ସ୍ୱଳ୍ପ ପୁଞ୍ଜିରେ ପୁଣିଥରେ ଆରମ୍ଭ କରିଛନ୍ତି ସ୍ୱଗର୍ତ ଗଙ୍ଗାଧର ମେହେରଙ୍କ ପୁଅ ବିଜୟ ମେହେର। ବର୍ତ୍ତମାନ ସେ ବାହାର ରାଜ୍ୟରୁ ୩୦ ଜଣ ଓ ସ୍ଥାନୀୟ କିଛି କାରିଗରଙ୍କୁ ନେଇ ଛୋଟଛୋଟ ସ୍କୁଲ ପିଲାଙ୍କ ଜୋତା ତିଆରି କରୁଛନ୍ତି। ଏହି କାରଖାନାକୁ କିଛି ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ଅଞ୍ଚଳରେ ଏକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।