ଦେବଗଡ ଜିଲ୍ଲାର ପୁଅ ହେଲେ ପୂର୍ବତଟ ରେଳପଥର ନୂତନ ମୂଖ୍ୟ ଲୋକ ସମ୍ପର୍କ ଅଧିକାରୀ

ରିଆମାଳ,ଏନ୍ଏନ୍ଏସ୍: ଦେବଗଡ ଜିଲ୍ଲାର ପୁଅ ହେଲେ ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ। ସେ ରିଆମାଳ ବ୍ଲକ ବୁଢାପାଳ ଗ୍ରାମର ପୁରୁଷୋତ୍ତମ ସାହୁଙ୍କ ଦ୍ୱିତୀୟ ପୁତ୍ର ବିଶ୍ୱଜିତ ସାହୁ। ପୂର୍ବରୁ ସେ ବିଶାଖାପାଟଣା ସ୍ଥିତ ରେଳବାଇ ଡିଭିଜନ ଅନ୍ତର୍ଗତ ବରିଷ୍ଠ ଉତ୍ପାଦନ ପରିଚାଳକ ଏବଂ ପରେ ପରେ ଭୂବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ରେଳ ଡବା ମରାମତି କାରଖାନାର ବରିଷ୍ଠ ଉତ୍ପାଦନ ପରିଚାଳକ ଭାବେ କାର୍ଯ୍ୟ କରିଥିଲେ।

ଶ୍ରୀ ସାହୁ ଭୂବନେଶ୍ୱର ସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରୁ ବିଟେକ ପାସ୍ କରି ପରେ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) କାନପୁରରୁ ଏମଟେକ ପାସ୍ କରିଥିଲେ। ୨୦୧୫ ମସିହାରେ ଭାରତୀୟ ରେଳବାଇ ସେବାରେ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ ଶ୍ରୀ ସାହୁଙ୍କ ପିତା ପୁରୁଷୋତ୍ତମ ସାହୁ ନିକଟ ଅତୀତରେ କମାଣ୍ଡାଣ୍ଟ ଭାବେ ଗୃହ ବିଭାଗରୁ ଅବସର ନେଇଛନ୍ତି। ଏହି ଖବର ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।