ଜ୍ୱାଇଁକୁ ପିଟି ପିଟି ମାରିଦେଲେ ଶ୍ୱଶୁର ଘର ଲୋକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ ଜ୍ୱାଇଁକୁ ପିଟିପିଟି ଶ୍ୱଶୁର ଘର ଲୋକ ମାରି ଦେଇଛନ୍ତି । ଏଥିସହିତ ଘଟଣାକୁ ଚପାଇବାର ଉଦ୍ୟମକୁ ମଧ୍ୟ ଗ୍ରାମବାସୀ ବିଫଳ କରିଛନ୍ତି । ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜାଭାଟି ପଡ଼ାର ରୁଦ୍ର ମେହେର । ଅନ୍ୟପଟେ ଶ୍ୱଶୁର ଉଦ୍ଧର ମେହେର, ଶାଶୁ ବନଲତା ମେହେର, ସ୍ତ୍ରୀ ସରୋଜିନୀ ମେହେର ଓ ଶଳା ସୁନୀଲ ମେହେରଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ଖପ୍ରାଖୋଲ ଥାନା ଚାବ୍ରିପାଲି ଗ୍ରାମର ଉଦ୍ଧବ ମେହେରଙ୍କ ଝିଅ ସରୋଜିନୀ ମେହେର ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜାଭାଟି ପଡ଼ାର ରୁଦ୍ର ମେହେରଙ୍କୁ ୨୦୧୩ରେ ବିବାହ କରିଥିଲେ । ତାଙ୍କର ୨ଟି ସନ୍ତାନ ଥିବାବେଳେ ରୁଦ୍ର କିଛିଦିନ ହେବ ତାଙ୍କ ଶ୍ୱଶୁର ଘରେ ରହୁଥିଲେ । ପାରିବାରିକ କଳହ ଯୋଗୁ ରୁଦ୍ର ଜେଲ ଯାଇ କିଛି ମାସ ପୂର୍ବରୁ ଜାମିନରେ ବାହାରିଥିଲେ । ରୁଦ୍ର ଓ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହ ସର୍ବଦା ଝଗଡ଼ା ଲାଗି ରହୁଥିଲା । ଗତ ବୁଧବାର ଗାଁରେ ହୋଲି ଖେଳ ଚାଲୁଥିବା ସମୟରେ ରୁଦ୍ରମଣିଙ୍କର ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ ରୁଦ୍ରମଣିକୁ ନିସ୍ତୁକ ମାଡ଼ ମାରି ଏକ ଘରେ ବନ୍ଦ କରିଦେଇ ସମସ୍ତ ପରବାର ପାଟଣାଗଡ଼ରେ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ । ପାଟଣାଗଡ଼ରୁ ରାତିରେ ଯାଇ ମୃତଦେହକୁ ଗୋଟିଏ ଜରି ବସ୍ତାରେ ଭରି ଭ୍ୟାନରେ ଫିଙ୍ଗି ଦେବାକୁ ମଧ୍ୟ ସେମାନେ ଉଦ୍ୟମ କରୁଥିଲେ । ଏହି ସମୟରେ ରୁଦ୍ରମଣି କେମିତି ଘରୁ ବାହାରୁନି ବୋଲି ସନ୍ଦେହ କରି ଗ୍ରାମବାସୀ ଗାଡ଼ିକୁ ଅଟକାଇ ଥିଲେ । ଏହି ସମୟରେ ମଧ୍ୟ ପରବାର ଲୋକ ଓ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଶେଷରେ ଖବର ପାଇ ଖପ୍ରାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ସହ ଗାଡ଼ିକୁ ଜବତ କରିଛି । ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ୍ ଓ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୪ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଏସଡିପିଓ କହିଛନ୍ତି ।