ମାତୃହନ୍ତା ପୁଅ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଟଙ୍କା ନଦେବାରୁ ପୁଅର ପଥର ଛେଚାରେ ମା’ର ମୃତ୍ୟୁ ଘଟିଛି। ରିଆମାଳ ଥାନା ପୁଲିସ ଆଜି ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଦାଲତରେ ଜାମିନ ନମିଳିବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ରିପୋର୍ଟ ମୁତାବିକ, ରିଆମାଳ ଥାନା ଅନ୍ତର୍ଗତ କାଲଚିପୁଡ଼ା ଡିହି ଗ୍ରାମର ସ୍ୱର୍ଗତ ଲକ୍ଷ୍ମଣ ଦେହୁରୀଙ୍କ ପୁଅ ହେମନ୍ତ ଦେହୁରୀ(୪୦) ଗତ ଶନିବାର ସଂନ୍ଧ୍ୟାରେ ନିଜ ବୃଦ୍ଧା ମା’ ତୁଲସା ଦେହୁରୀ (୭୫)ଙ୍କୁ ହାତ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲା। ମାତ୍ର ତୁଲସା ଟଙ୍କା ଦେବା ପାଇଁ ମନା କରିବା ସହ ପୁଅ ହେମନ୍ତକୁ ରୋଜଗାର କରିବାକୁ ପରାମର୍ଶ ଦେଇ ଶୋଇବା ପାଇଁ ଚାଲି ଯାଇଥିଲେ। ଏଥିରେ ଉତ୍ତେଜିତ ହୋଇ ମା’ ଶୋଇଥିବା ଅବସ୍ଥାରେ ହେମନ୍ତ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲା। ପଥରରେ ଛେଚିବା ପରେ ତୁଲସାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ଦେଖି ହେମନ୍ତ ଗ୍ରାମ ନିକଟରେ ଶାଶୁ ଘରେ ରହୁଥିବା ନିଜ ଭଉଣୀ ସଂଯୁକ୍ତା ବେହେରାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପ୍ରକାଶ କରି ଫେରାର ହୋଇଯାଇଥିଲା। ଖବର ଜାଣିବା ପରେ ସଂଯୁକ୍ତା ତୁରନ୍ତ ଘରକୁ ଆସି ପାଖ ପଡ଼ିିଶା ଲୋକଙ୍କ ସହାୟତାରେ ଗୁରୁତର ମା’ ତୁଲସାଙ୍କୁ ଉଦ୍ଧାର କରି ଚିକତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତୁଲସାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଗତକାଲି ସଂଯୁକ୍ତା ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରିଆମାଳ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ଅଭିଯୁକ୍ତ ପୁଅ ହେମନ୍ତ ନିଜ ମା’କୁ ହତ୍ୟା କରିଥିବା ଜାଣିବା ପରେ ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରିଆମାଳ ଭାରପ୍ରାପ୍ତ ଥାନାଧିକାରୀ ଗୋପବନ୍ଧୁ ବେହେରା ସୂଚନା ଦେଇଛନ୍ତି।