ବାପାକୁ ହତ୍ୟା କରି ପୁଅ ଫେରାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବୃନ୍ଦାମାଲ ଗଣ୍ଡପଡ଼ାରେ ପୁଅର ଟାଙ୍ଗିଆ ଚୋଟରେ ବୃଦ୍ଧ ବାପାର ମୃତ୍ୟୁ ହୋଇଛି। ହତ୍ୟାକାଣ୍ଡ ଭିଆଇ ପୁଅ ଘଟଣାସ୍ଥାଳରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ବଡ଼ମାଲ ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ସୁରତ ମରେଇ(୬୫) ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ ଶନିବାର ଅପରାହ୍ଣରେ ସୁରତ ମରେଇ ଓ ତାଙ୍କ ପୁଅ ବୈକୁଣ୍ଠ ମରେଇ (୩୦) ମଧ୍ୟରେ ଝଗଡ଼ା ହୋଇଥିଲା।

ବୈକୁଣ୍ଠ ମଦ ପିଇବାକୁ ତା ବାପା ସୁରତକୁ ଟଙ୍କା ମାଗିଥିଲା। ସୁରତ ଟଙ୍କା ଦେବାକୁ ମନା କରିବାରୁ ବୈକୁଣ୍ଠ ଏଥିରେ ରାଗିଯାଇ ଘରେ ଥିବା ଟାଙ୍ଗିଆରେ ବାପାଙ୍କ ମୁଣ୍ଡରେ ଚୋଟ ମାରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁରତ ପଡ଼ିଯାଇଥିବାବେଳେ ବୈକୁଣ୍ଠ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୁରତଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସୁରତର ସ୍ତ୍ରୀ ନୃପତୀ ମରେଇ ବଡ଼ମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହାପରେ ବଡ଼ମାଲ ପୁଲିସ ଏକ ହତ୍ୟାମାମଲା ରୁଜ କରି ଅଭିଯୁକ୍ତକୁ ଖୋଜିବାରେ ଲାଗିଛି। ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ମବୈକୁଣ୍ଠ ମରେଇ ତା ବାପାକୁ ସାମାନ୍ୟ କଥାରେ ଟାଙ୍ଗିଆ ଚୋଟ ମାରିଥିଲା। ହେଲେ ଭାଗ୍ୟବଶତଃ ସେତେବେଳେ ସୁରତ ଅଳ୍ପକେ ବର୍ତ୍ତି ଯାଇଥିବା ବଡ଼ମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।