ଆମେରିକାରେ ବଡ଼ଦିନ ପରେଡ୍‌ ଉପରକୁ ମାଡ଼ିଗଲା ଗାଡ଼ି; କିଛି ମୃତ ଏବଂ ୨୦ରୁ ଅଧିକ ଆହତ

ୱାସିଂଟନ୍‌,ଏଜେନ୍ସି: ରବିବାର ସନ୍ଧ୍ୟାରେ ଯୁକ୍ତରାଷ୍ଟ୍ର ଆମେରିକାର ୱିଜ୍‌କନ୍‌ସିନ୍‌ ପ୍ରଦେଶରେ ଚାଲିଥିବା ବଡ଼ଦିନ ପରେଡ୍‌ ମଧ୍ୟକୁ ଗୋଟାଏ ଗାଡ଼ି ମାଡ଼ିଯିବାରୁ ‘କିଛି’ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ଠିକ୍‌ ଅପରାହ୍ଣ ୪ଟା ୩୦ ପରେ ଘଟିଥିବା ଉକ୍ତ ଘଟଣା ସଂକ୍ରାନ୍ତରେ ସରକାରୀ ଅଧିକାରୀମାନେ ତଥ୍ୟାବଳୀ ସଂଗ୍ରହ କରୁଛନ୍ତି। ଉକ୍ତ ବାର୍ଷିକ ପରେଡ଼କୁ ମିଲ୍ୱାଉକି ଉପନଗରୀ ୱାଉକେସାର ଅନେକ ଲୋକ ଦେଖୁଥିଲେ। ସାମ୍ବାଦିକମାନଙ୍କୁ ପୁଲିସ ମୁଖ୍ୟ ଡାନ୍‌ ଟମ୍ପ୍‌ସନ୍‌ କହିଛନ୍ତି, ୱାଉକେସା ବଡ଼ଦିନ ପରେଡ୍‌ ଚାଲିଥିବା ବେଳେ ନଗରୀର ମୁଖ୍ୟ ସଡ଼କରେ ପଶ୍ଚିମ ଦିଗକୁ ଯାଉଥିବା ଗୋଟାଏ ଲାଲ୍‌ ‘ସ୍ପୋର୍ଟସ୍‌ ୟୁଟିଲିଟି ଭେଇକିଲ୍‌’ ବାରିକେଡ୍‌ ଭାଙ୍ଗି ମାଡ଼ି ଆସିଲା।

ଗାଡ଼ିଟି ପିଲାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ଧକ୍କା ଦେଇଛି। ଗାଡ଼ି ଚାପାରେ କିଛି ଲୋକଙ୍କର ମୃତ୍ୟୁ ଘଟିଛି। ଘଟଣା ପାଇଁ ଦାୟୀ ଜଣେ ବ୍ୟକ୍ତିଙ୍କୁ ହାଜତକୁ ନିଆଯାଇଛି। ଗାଡ଼ିଟିକୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ଏବେ ଆଉ କୌଣସି ପ୍ରକାର ବିପଦ ନାହିଁ।