ବିରଳ ବଳୟ ସୂର୍ଯ୍ୟପରାଗ: ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ସକାଳେ ସଙ୍ଗଠିତ ହେବ ଏକ ବିରଳ ତଥା ସୁନ୍ଦର ବଳୟ ସୂର୍ଯ୍ୟ ପରାଗ। ଏହିବର୍ଷ ଜାନୁଆରୀ ୬ରେ ଆଂଶିକ ସୂର୍ଯ୍ୟ ପରାଗ ଓ ଜୁଲାଇ ୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସଂଗଠିତ ହୋଇଥିଲେ ମଧ୍ୟ ଏହା ଭାରତକୁ ଦୃଶ୍ୟମାନ ହୋଇନଥିଲା। ଆସନ୍ତାକାଲି ସଙ୍ଗଠିତ ହେବାକୁ ଥିବା ଏହି ପରାଗ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ଦେଖାଯିବ। ମାତ୍ର ସମଗ୍ର ଓଡ଼ିଶାରେ ସେହି ସମୟରେ ଆଂଶିକ ସୂର୍ଯ୍ୟ ପରାଗ ଦେଖି ହେବ ବୋଲି କହିଛନ୍ତି ପଠାଣି ସମାନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ। ଆସନ୍ତକାଲି ସକାଳ ୮ଟା ୨୦ମିନିଟରେ ଆରମ୍ଭ ହୋଇ ୧୧ଟା ୨୮ମିନିଟ୍ ପର୍ଯ୍ୟନ୍ତ ଦେଖାଯିବ।

ଛୁଟିଦିନ ଥିବାରୁ ପ୍ଲାନେଟୋରିୟମରେ ଏହି ପରାଗ ଦେଖିବାପାଇଁ ଲୋକଙ୍କ ଭିଡ଼ ଜମିବ। ଏଥିପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ୩ହଜାରରୁ ଉଦ୍ଧ୍ୱର୍ ଦର୍ଶକଙ୍କ ପ୍ଲାନେଟାରିୟମରେ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଡ. ପଟ୍ଟନାୟକ କହିଛନ୍ତି ଯେ, ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଗୋଟିଏ ଗୋଟିଏ ବିରଳ ମହାଜାଗତିକ ଘଟଣା। ଆମ ସମାଜରେ ଆବାହନକାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ୱାସ ଏବଂ ଅନ୍ଧ ବିଶ୍ୱାସ ରହିଛି। ସୂର୍ଯ୍ୟ ଚାରିପଟେ ପୃଥିବୀ ଓ ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୁରିବୁଲୁଛନ୍ତି।

ମହାକାଶରେ ବୁଲୁଥିବା ଏହି ପିଣ୍ଡ ୨ଟି ବେଳେବେଳେ ସୂର୍ଯ୍ୟ ସହ ଏକ ସରଳରେଖାରେ ରହିଥାନ୍ତି। ସେହି ସମୟରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ର ଗ୍ରହଣ ଘଟିଥାଏ। ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ। ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ। ସେହି ଅଞ୍ଚଳର ଲୋକେ କିଛି ସମୟ ଲାଗି ସୂର୍ଯ୍ୟଙ୍କୁ ଦେଖିପାରିନଥାନ୍ତି। ସୂର୍ଯ୍ୟ ପରାଗ କେବଳ ଅମାବାସ୍ୟା ଦିନ ହିଁ ଘଟିବା ସମ୍ଭବ। ଚନ୍ଦ୍ରର କକ୍ଷ ପଥ ଓ ପୃଥିବୀର କକ୍ଷ ଗୋଟିଏ ସମତଳରେ ନରହତ ୫ଡିଗ୍ରୀ ଢ଼ଳି ରହିଛି। ଯଦି କକ୍ଷପଥ ୨ଟି ଏକ ସମତଳରେ ଥାନ୍ତା ତେବେ ପ୍ରତି ଅମାବାସ୍ୟାରେ ସୂର୍ଯ୍ୟ ପରାଗ ଓ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ହେଉଥାନ୍ତା। ମାତ୍ର ପଥ ଦୁଇଟି ସାମାନ୍ୟ ଢ଼ଳି ରହିଥିବାରୁ ଏପରି ଘଟୁନାହିଁ।

ଗ୍ରହଣ ଓ ପରାଗ ମିଶି ବର୍ଷକୁ ସର୍ବାଧିକ ୭ଟି ଓ ସର୍ବନିମ୍ନ ୨ଟି ଘଟିଥାଏ। ପ୍ରତ୍ୟେକବର୍ଷ ଅତିକମରେ ୨ଟି ସୂର୍ଯ୍ୟ ପରାଗ ଘଟିଥାଏ। କିନ୍ତୁ ଏହା ପୃଥିବୀର ଖୁବ କମ୍ ଅଞ୍ଚଳକୁ ଦେଖାଯାଏ। ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରାୟ ୩୬୦ ବର୍ଷରେ ଥରେ ଦେଖାଯାଏ। ପୂର୍ଣ୍ଣ ପରାଗ ପଥର ଓସାର ମାତ୍ର ୧୬୦ କିମି ହୋଇଥାଏ। ଏହି ବିରଳ ମହାଜାଗତିକ ଘଟଣାଟି ସମଗ୍ର ଓଡ଼ିଶାକୁ ଆଂଶିକ ସୂର୍ଯ୍ୟପରାଗ ଭାବେ ଦେଖାଯିବ।

ଏହା ଦକ୍ଷିଣ ଭାରତରେ ଥିବା କେତେକ ଅଞ୍ଚଳକୁ ସଂପୂର୍ଣ୍ଣ ଦେଖାଯିବ। ଓଡ଼ିଶାରେ ସର୍ବାଧିକ ପରାଗ ସକାଳ ୯ଟା ୪୬ରେ ସେତେବେଳେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୫% ଘୋଡାଇ ଦେବ ଓ ସୂର୍ଯ୍ୟର ଆଲେଶକ ମଳିନ ପଡ଼ିବା ସହ ଏହା ଅଧାଖଣ୍ଡିଆ ଦେଖାଯିବ। ଏହା ଏକ ବିରଳ ଦୃଶ୍ୟ। ମାତ୍ର ସୂର୍ଯ୍ୟକୁ ସେହି ସମୟରେ ବା ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ନଦେଖି ସୌର ଚଷମା, ୧୪ ନମ୍ବର ୱେଲ୍ଡିଂ କାଚ, ପିନ୍ ହୋଲ୍ ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ଏହାକୁ ଦେଖିହେବ।