ମାଲକାନଗିରି-ଜୟପୁର ରେଳପଥ ନିମନ୍ତେ ମାଟି ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ମାଲକାନଗିରି,ଏନ୍ଏନ୍ଏସ୍: ବହୁପ୍ରତିକ୍ଷୀତ ମାଲକାନଗିରି-ଜୟପୁର ରେଳପଥ ନିର୍ମାଣ ନିମନ୍ତେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଟି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଫଳରେ ଜିଲ୍ଲାବସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ପ୍ରଥମେ ତତକାଳୀନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀଙ୍କ ସମୟରେ ୟୁପିଏ ସରକାରଙ୍କ ଅମଳରେ ଏହି ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ରେଳ ବଜେଟ ଘୋଷଣା କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ। ପରେ ଗତ ୨୦୧୬ରେ ତତକାଳୀନ ସାଂସଦ ବଳଭଦ୍ର ମାଝୀଙ୍କ ସମୟରେ ପୁନର୍ବାର ବଜେଟରେ ଏହି ପ୍ରକଳ୍ପ ପାଇଁ ସ୍ଥାନ ପାଇଥିଲା। କିନ୍ତୁ ଏହାର ୨ ବର୍ଷ ପରେ ସବିଶେଷ ପ୍ରକଳ୍ପ ରିପୋର୍ଟ ମଞ୍ଜୁର କରାଯାଇଥିଲା। ଗତ ଫେବୃଆରୀ ୨୦୧୮ରେ କେନ୍ଦ୍ର କ୍ୟାବିନେଟର ଅର୍ଥନୈତିକ ମନ୍ତ୍ରଣାଳୟର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମାଲକାନଗିରିଠାରୁ ଜୟପୁର ପର୍ଯ୍ୟନ୍ତ ମୋଟ ୧୩୦ କିମି ରେଳ ପ୍ରକଳ୍ପ ପାଇଁ ୨୬୭୬.୧୧ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇ ଚଳିତ ୨୦୨୧-୨୨ ମସିହା ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ମାଲକାନଗିରି ସହ ପାଣ୍ଡ୍ରିପାଣି, ମାଥିଲି, ଟାଙ୍ଗଣିଗୁଡ଼ା ଓ ଜୟପୁର ସହ ଅନେକ ସହରକୁ ଯୋଡ଼ିବ। ବର୍ତ୍ତମାନ ଏହି ରେଳପଥ ନିର୍ମାଣ ପାଇଁ ପ୍ରାଥମିକସ୍ତରରେ ମାଟି ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଏହା ମାଲକାନଗିରି ସଦର ବ୍ଲକସ୍ଥିତ କାଦବାହାଲର ଦାନିଗୁଡ଼ା ଗ୍ରାମ ନିକଟ ଓ ଭୀମାରାଙ୍ଗିଣି ନିକଟରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ସ୍ୱାଧୀନତାର ୭ ଦଶନ୍ଧି ପରେ ଲୋକଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି।