ଅପରାଧୀଙ୍କୁ ଧରିବ ଫେସ୍ ଚିହ୍ନଟ ସଫ୍ଟୱେର୍

କୋଲକାତା: କୋଲକାତାରେ ଛିନତାଇ, ପକେଟ୍ ମାରଙ୍କୁ ଧରିବା ପାଇଁ ପୁଲିସ୍ ଫେସ୍ ଚିହ୍ନଟ ପ୍ରକ୍ରିୟା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଫେସ୍ ଚିହ୍ନଟ ସିଷ୍ଟମ ଜରିଆରେ ଜନଗହଳି ମଧ୍ୟରୁ ଛୋଟକାଟର ବଦମାସଙ୍କୁ ଠାବ କରିବା ସହ ସେମାନଙ୍କୁ ଧରିବା ସହଜ ହେବ। କୋଲକାତାର ପ୍ରାୟ ୫୦ଟି ପ୍ରମୁଖ ଛକ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସିସିଟିଭି ଖଞ୍ଜାଯିବ। ସବୁ ସିସିଟିଭିକୁ କଣ୍ଟ୍ରୋଲ ରୁମ୍ ମନିଟରରେ ଦେଖିବା ସହଜ ହେବ।

ସିସିଟିଭିରେ ଲାଗିଥିବା ସ୍ୱତନ୍ତ୍ର କ୍ୟାମେରା ଜରିଆରେ ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଉଥିବା ଅପରାଧୀ, ପକେଟମାର୍ ଙ୍କୁ ଚିହ୍ନଟ କରିବା ସହଜ ହେବ ବୋଲି କୋଲକାତା ପୁଲିସର ସାଇବର ସେଲ୍ ସୂତ୍ରରୁ ପ୍ରକାଶ। ଏହି ସିଷ୍ଟମ ଫଳରେ ଜନଗହଳିରେ ଯେକୌଣସି ଅପରାଧୀଙ୍କୁ ଚିହ୍ନିବା ସହଜ ହେବ। ଦୀପାବଳି ପୂର୍ବରୁ ଲାଲବଜାର ପୁଲିସ ଏହି ସଫ୍ଟୱେର୍ ପ୍ରଥମେ ବ୍ୟବହାର କରିବ।

ବିଗତ ଏକବର୍ଷ ଧରି ଲାଲ୍ବଜାର ପୁଲିସ ଗିରଫ କରିଥିବା ଅପରାଧୀଙ୍କ ଆଖି, ନାକ, ପାଟି, ହାତ, ଅଙ୍ଗୁଳି ଚିହ୍ନ ସଂଗ୍ରହ କରି ସଫ୍ଟୱେର୍ ବିକଶିତ କରିଛି। ସଫ୍ଟୱେରରେ ତାଲିକାଭୁକ୍ତ ଅପରାଧୀଙ୍କୁ ଗହଳି ଭିତରୁ ଚିହ୍ନଟ କରିବା ସହଜ ଥିଲେ ମଧ୍ୟ ତାଲିକାଭୁକ୍ତ ନଥିବା ଅପରାଧୀଙ୍କୁ ଧରିବା କଷ୍ଟକର ହେବ।