ମାଲକାନଗିରି,ଏନ୍ଏନ୍ଏସ୍: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବାବେଳେ ମାଲକାନଗିରି ଜିଲ୍ଲାରେ ଏକ ଅଜଣା ରୋଗ ଯୋଗୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଏହି ଅଜଣା ରୋଗରେ ଗତ ଏକ ମାସ ମଧ୍ୟରେ ମାଥିଲି ବ୍ଲକ ଅନ୍ତର୍ଗତ ସୋଡ଼ିଗୁଡ଼ା ଗ୍ରାମରେ ୧୩ ଜଣ ଜୀବନ ହରାଇଛନ୍ତି। ଏହି ଗ୍ରାମର ଲୋକଙ୍କଠାରେ ପ୍ରଥମେ ଦେହ ଫୁଲିଛି ଓ ପରେ ଦୁର୍ବଳ ଅନୁଭବ କରୁଛନ୍ତି। ଆଉ ୫ ଦିନ ମଧ୍ୟରେ ଆକ୍ରାନ୍ତ ବ୍ୟକ୍ତି ପ୍ରାଣ ହରାଉଥିବା ସୂଚନା ମିଳିଛି। ତେବେ ଲୋକେ କରୋନା ଯୋଗୁ ଚିକିତ୍ସାଳୟକୁ ଗଲେ ଚିକିତ୍ସା ସେବା ମିଳିବା ନେଇ ଆଶଙ୍କା ପ୍ରକାଶ କରି ଗୁଣିଆ ଓ ଦିଶାରୀ ମୁହାଁ ହେବାରେ ଲାଗିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଗ୍ରାମର ବାମନ ମାଡ଼ି, ଆଡ଼ମା ସୋଡ଼ି, ମିଡିଆ ସୋଡ଼ି, କଷା ମାଡ଼ି, ଲକ୍ଷ୍ମୀ କବାସୀ, ଇର୍ମା କବାସୀ, ମଙ୍ଗଳା ମାଡ଼କାମି, ସନମତି ମାଡ଼ି ଓ ପଦ୍ମା ମାଡ଼ିଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଲୋକଙ୍କୁ ପରାମର୍ଶ ଦେଲେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ନଯାଇ ଗୁଣିଆ ଚିକିତ୍ସା କରୁଛନ୍ତି ବୋଲି ଗ୍ରାମର ସୁନ୍ଦରା ମାଡ଼କାମି ପ୍ରକାଶ କରିଛନ୍ତି। ଗ୍ରାମରେ ଅଜଣା ରୋଗର ପ୍ରାଦୂର୍ଭାବ ଯୋଗୁ ଜଣଙ୍କ ପରେ ଜଣଙ୍କର ମୃତ୍ୟୁ ଘଟୁଛି। ତେଣୁ ସରକାର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମର ଯୋଗୀ ମାଡ଼ି ପ୍ରକାଶ କରିଛନ୍ତି। ଗତ ମାସକ ମଧ୍ୟରେ ଏଭଳି ମୃତ୍ୟୁ ଘଟିଥିବାରୁ ଗ୍ରାମରେ ଆତଙ୍କର ବାତାବରଣ ଦେଖାଦେଇଛି। ଆଧୁନିକ ଯୁଗରେ ମଧ୍ୟ ମାଲକାନଗିରି ଜିଲ୍ଲାରେ ସାକ୍ଷରତା ହାର କମ୍ ଯୋଗୁ ବାରମ୍ବାର ସଚେତନତା ସତ୍ୱେ ଲୋକେ ଗୁଣିଗାରେଡ଼ି ଉପରେ ନିର୍ଭର କରୁଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ମତାମତ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଏକ ସ୍ୱାସ୍ଥ୍ୟ ଦଳ ଗଠନ କରି ଗ୍ରାମବାସୀଙ୍କ ରକ୍ତ ନମୁନା ସଂଗ୍ରହ କରି ପରବର୍ତ୍ତୀ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଅମୀୟ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି।