ଅସହାୟ ବୃଦ୍ଧ ଦମ୍ପତିଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ସମାଜସେବୀ

ବରଗଡ଼,ଏନ୍ଏନ୍ଏସ୍: ସୋସିଆଲ ମିଡିଆରେ ଅସହାୟ ବୃଦ୍ଧ ଦମ୍ପତିଙ୍କ କରୁଣ କାହାଣୀ ପୋଷ୍ଟ ହେବାପରେ ‘ନିଷ୍ଠାର’ ସମ୍ପାଦକ ସମାଜସେବୀ ଅଶ୍ୱିନୀ ତ୍ରିପାଠୀ ସେମାନଙ୍କୁ ଡାକ୍ତରଖାନା ପହଞ୍ଚାଇଛନ୍ତି । ସୂଚନା ଯୋଗ୍ୟ, ବରଗଡ଼ ସହର ୱାର୍ଡ ନମ୍ବର ୧୭ ଅମ୍ବାପାଲିରେ ବାସ କରୁଥିବା ଧନେଶ୍ୱର ବରିହା ଏବଂ ଗୁଲାପି ବରିହା ଅସହାୟ ଅବସ୍ଥାରେ ରହୁଥିଲେ। ଏପରିକି ଅସୁସ୍ଥ ଥିବା ବୃଦ୍ଧ ଧନେଶ୍ୱରଙ୍କ ଚିକିତ୍ସା ମଧ୍ୟ ତାଙ୍କ ସ୍ତ୍ରୀ ଗୁଲାପି କରିପାରୁ ନଥିଲେ। ସୁଖବନ୍ତ କୌର ନାମକ ଜଣେ ସଚେତନ ମହିଳା ଏହାଜାଣି ସେମାନଙ୍କୁ କିଛି ସହାୟତା କରିବାସହ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବୃଦ୍ଧ ଦମ୍ପତିଙ୍କୁ ସହାୟତା କରିବାକୁ ନିବେଦନ କରିଥିଲେ। ସମାଜସେବୀ ଅଶ୍ୱିନୀ ତ୍ରିପାଠୀ ତାହା ଦେଖି ସଙ୍ଗେସଙ୍ଗେ ଅମ୍ବାପାଲିରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ବୃଦ୍ଧ ଦମ୍ପତିଙ୍କୁ ସରକାରୀ ଡାକ୍ତରଖାନା ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ତାଙ୍କର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।