ପୁଣି ମାନବିକତାର ପରିଚୟ ଦେଲେ ବିନୋଦ : ପାଠ ପଢ଼ିବାକୁ ଦେଲେ୧୫ ହଜାର

ମାଲକାନଗିରି,ଏନ୍ଏନ୍ଏସ୍: ଅସହାୟଙ୍କୁ ସହଯୋଗର ହାତ ବଢ଼ାଇ ପ୍ରଶଂସା ସାଉଁଟୁଛନ୍ତି ଯୁବ ସମାଜସେବୀ ବିନୋଦ ତିୱାରୀ। କରୋନା କାଳରୁ ସେ ଯେ କୌଣସି ଗରିବଙ୍କ ସମସ୍ୟା ବିଷୟରେ ଜାଣିବା କ୍ଷଣି ସେମାନଙ୍କ ନିଟକରେ ପହଞ୍ଚି ସହାୟତାର ହାତ ବଢ଼ାଇ ଆସୁଛନ୍ତି। ଗରିବଙ୍କ ଦୁଃଖର ସାଥୀ ପାଲଟିଥିବା ବିନୋଦ ପୁଣି ଜଣେ ଗରିବ ଛାତ୍ରଙ୍କୁ ଉଚ୍ଚଶିକ୍ଷା ଲାଭ ପାଇଁ ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି। ମାଲକାନଗିରି ସଦର ବ୍ଲକ ବୁରୁଦି ଗ୍ରାମର ସୁନିଲ ମାଡ଼କାମୀଙ୍କ ପୁଅ ତୁଳସୀରାମ ମାଡ଼କାମୀ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ସେ ଦଶମ ଶ୍ରେଣୀରେ ଶତକଡ଼ା ୮୫ ପ୍ରତିଶତ ଓ ଯୁକ୍ତ ୨ ରେ ଶତକଡ଼ା ୭୫ ପ୍ରତିଶତ ଓ ମାଲକାନଗିରି ମଡେଲ ଡିଗ୍ରୀ କଲେଜରେ ଯୁକ୍ତ ୩ ବିଜ୍ଞାନରେ ଶତକଡ଼ା ୮୨ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି। ଏହାପରେ ଆଇଆଇଟି, ଭୁବନେଶ୍ୱରରେ ପଦାର୍ଥ ବିଦ୍ୟାରେ ସ୍ନାତକୋତ୍ତର ପଢ଼ୁଥିବା ବେଳେ ୪ ର୍ଥ ସେମିଷ୍ଟାରରେ ପୁନଃ ପ୍ରବେଶ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିଲା। ଅର୍ଥ ନଥିବାରୁ ଅଧାରୁ ପାଠ ଛାଡ଼ିବା ଭଳି ପରିସ୍ଥିତି ଉପୁଜିଥିଲା। ତେବେ ଏହି ଖବର ପାଇ ସମାଜସେବୀ ବିନୋଦ ତୁରନ୍ତ ତୁଳସୀରାମଙ୍କ ସହ ଯୋଗାଯୋଗ କରି ତାଙ୍କୁ ଆଗକୁ ପାଠପଢ଼ା ଜାରି ରଖିବା ପାଇଁ ପରାମର୍ଶ ଦେବାସହ ୧୫ ହଜାର ଟଙ୍କା ନିଜେ ବହନ କରିଥିଲେ।