ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ହିଁ ରାଜ୍ୟ ସରକାରଙ୍କ ପ୍ରାଥମିକତା: ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୂର୍ବାହ୍ନରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍, ରାଜ୍ୟ ଶ୍ରମ କମିଶନର ଡ. ଏନ୍. ଥିରୁମାଲା ନାୟକ ପ୍ରମୁଖ ଉପସ୍ଥିତ ରହି ଭର୍ଚୁଆଲ୍ ମୋଡରେ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନାର ଅଗ୍ରଗତି ସମ୍ପର୍କରେ ଜିଲ୍ଲାର ବରିଷ୍ଠ ଶ୍ରମ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ସିଂହ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକମାନଙ୍କୁ ଯଥାଶୀଘ୍ର କଲ୍ୟାଣ ବୋର୍ଡରେ ନାମ ପଞ୍ଜୀକରଣ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଓଡ଼ିଶାକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କର ସାମାଜିକ ନିରାପତ୍ତା ଓ କଲ୍ୟାଣ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ଏହା ବ୍ୟତୀତ ମନ୍ତ୍ରୀ ଶ୍ରୀ ସିଂହ ସେସ୍ ଆଦାୟ ଉପରେ ଗୁରୁତ୍ୱାରୋପ କରିବା ସହ ଶ୍ରମ ନିର୍ଦ୍ଦେଶାଳୟରେ ଜଣେ ଡି.ଏଲ.ସିଙ୍କ ଅଧୀନରେ ଏକ ସେସ୍ ଆସେସମେଣ୍ଟ ଟିମ୍ ଗଠନ କରି ଆସେସମେଣ୍ଟ କାମକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ।

ସେସ୍ ପ୍ରଦାନକାରୀଙ୍କୁ ଆଇନ୍ ସମ୍ବନ୍ଧରେ ସଚେତନ କରିବା ସହ ଏ ବାବଦରେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଆଦି ଅଞ୍ଚଳର ଶ୍ରମ ଅଧିକାରୀମାନେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ୫‘ଟି’ କାର୍ଯ୍ୟକ୍ରମ ଓ ନୀତିକୁ ଧ୍ୟାନରେ ରଖି ଦଳଗତ ମନୋଭାବ ନେଇ ସ୍ୱଚ୍ଛତା, ଦକ୍ଷତା ଓ ସମୟାନୁବର୍ତ୍ତିତା ସହ କାର୍ଯ୍ୟ ହାସଲ କରିବାକୁ ଅନୁରୋଧ କରିଥିଲେ। ଯେଉଁ ଅଧିକାରୀ ଭଲ କାମ କରିଥିବେ ସେହି ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ ପ୍ରକାଶ କରିଥିଲେ। ଏହି ସମୀକ୍ଷା ବୈଠକରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କୋଭିଡ୍-୧୯ ଯୋଗୁଁ ରାଜ୍ୟ ବାହାରୁ ଓଡ଼ିଶାକୁ ଫେରିଥିବା ପ୍ରବାସୀ ନିର୍ମାଣ ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଯଥାଶୀଘ୍ର ପଞ୍ଜିକୃତ କରିବାକୁ ବିଭିନ୍ନ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅରୁମୁଗମ୍ ରାଜ୍ୟର ସମସ୍ତ ଅଣସଂଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ସମ୍ପର୍କରେ ପ୍ରାଧାନ୍ୟ ଦେଇ କହିଲେ ଯେ ଶ୍ରମିକମାନଙ୍କ ନିକଟରେ ମୋବାଇଲ୍ ଆପ୍ ଓ ପରିଶ୍ରମ ପୋର୍ଟାଲ୍ ମାଧ୍ୟମରେ ସେବା ଉପଲବ୍ଧ କରାଯିବ, ଯାହାଦ୍ୱାରା କି ହିତାଧିକାରୀମାନେ ସେମାନଙ୍କ ନିଜ ଘରେ ରହି ସେବା ପାଇପାରିବେ। ରାଜ୍ୟ ଶ୍ରମ କମିଶନର ଡ. ନାୟକ କଲ୍ୟାଣ ବୋର୍ଡର ବିଭିନ୍ନ ଯୋଜନା ଜିଲ୍ଲାସ୍ତରରେ କିଭଳି ଭାବେ କାର୍ଯ୍ୟକାରୀ ହେଉଛି ଏବଂ ବୋର୍ଡର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମତାମତ ରଖି କହିଲେ ଯେ ଓଡ଼ିଶାରେ ଅଦ୍ୟାବଧି ୩୦ ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇ ପ୍ରାୟତଃ ୧୯୦୦ କୋଟି ଟଙ୍କା ବିଭିନ୍ନ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟତଃ ୨୩୦୦ କୋଟି ଟଙ୍କା ସେସ୍ ବାବଦରେ ସଂଗୃହୀତ ହୋଇଥିବାବେଳେ ୨୧ ଲକ୍ଷ ସହାୟତା ପ୍ରଦାନ କରାଯାଇଛି। ଏହି ବୈଠକରେ ଉପସ୍ଥିତଥିବା ସମସ୍ତ ଶ୍ରମ ଅଧିକାରୀମାନଙ୍କୁ କୋଭିଡ୍-୧୯ ମାର୍ଗଦର୍ଶିକା ମାନି କାର୍ଯ୍ୟକରିବାକୁ ସେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ବରଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ହେମନ୍ତ ପ୍ରଧାନଙ୍କ ହୃଦଘାତ ଜନିତ ଆକସ୍ମିକ ମୃତ୍ୟୁ ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।