ସୋସିଆଲ ମିଡିଆ, ଓଟିଟି ପ୍ଲାଟଫର୍ମ ଲାଗି ଗାଇଡ୍ ଲାଇନ୍ ଜାରି୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଏଜେନ୍ସି: କେନ୍ଦ୍ର ସରକାର ଗୁରୁବାର ସୋସିଆଲ ମିଡିଆ, ଓଟିଟି ପ୍ଲାଟ୍ଫର୍ମ ଏବଂ ଡିଜିଟାଲ ନ୍ୟୁଜ୍ ଲାଗି ଗାଇଡ୍ ଲାଇନ୍ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି, ସମସ୍ତଙ୍କର ସମାଲୋଚନା କରିବା ଏବଂ ପ୍ରଶ୍ନ ଉଠାଇବାର ସ୍ୱାଧୀନତା ରହିଛି। କିନ୍ତୁ ସୋସିଆଲ ମିଡିଆର କୋଟି କୋଟି ୟୁଜର୍ସଙ୍କ ଆପତ୍ତି ଅଭିଯୋଗର ସମାଧାନ ପାଇଁ ଏକ ଫୋରମ୍ ରହିବା ଆବଶ୍ୟକ।
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡ଼େକର ଗୁରୁବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର ବ୍ୟବସାୟ ସ୍ୱାଗତଯୋଗ୍ୟ ଏବଂ ସେଗୁଡ଼ିକ ଲୋକପ୍ରିୟତା ହାସଲ କରିବା ପ୍ରଶଂସାର ବିଷୟ। ସେଗୁଡ଼ିକ ଭାରତରେ ସ୍ୱାଧୀନ ଭାବେ ବ୍ୟବସାୟ କରିପାରିବେ। ମାତ୍ର ସେଗୁଡ଼ିକ ଭାରତର ସମ୍ବିଧାନ ତଥା ଭାରତର ପ୍ରଚଳିତ ଆଇନ୍ ଓ କାନୁନ୍ ପାଳନ କରିବା ଅପରିହାର୍ଯ୍ୟ। ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ସାଧାରଣ ଲୋକଙ୍କୁ ବାକ୍ ସ୍ୱାଧୀନତାର କ୍ଷମତା ଦେଇଥାଏ। କିନ୍ତୁ ଏହା ଅପବ୍ୟବହାର ପାଇଁ ସାମାଜିକ ଗଣମାଧ୍ୟମ ଉତ୍ତରଦାୟୀ ରହିବା ଆବଶ୍ୟକ। ଅନେକ ସମୟରେ ଓଟିଟି ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉଭୟ ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ସ୍ୱତନ୍ତ୍ର ଭାବେ ନିୟମ ନିର୍ଦ୍ଧାରଣ କରାଯାଇଛି। ଡିଜିଟାଲ୍ ବା ସାମାଜିକ ଗଣମାଧ୍ୟମ ପାଇଁ ନୂଆ ଗାଇଡଲାଇନ ଜାରିକରି ସେ କହିଛନ୍ତ ଯେ ଲୋକଙ୍କୁ ସେବା ଯୋଗାଉଥିବା ସବୁ ସଂସ୍ଥା ଅଭିଯୋଗ ପ୍ରକୋଷ୍ଠ ପ୍ରତିଷ୍ଠା କରିବେ। ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଷୟବସ୍ତୁକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହା ଉପରେ ନଜର ରଖିବା ପାଇଁ ଏକାଧିକ ମନ୍ତ୍ରଣାଳୟ ଓ ଏଥିକ୍ସ କୋଡର ବ୍ୟବସ୍ଥା କରାଯିବ। ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଏହାକୁ ଗ୍ରହଣ କରିବାକୁ ବାଧ୍ୟ। ସେହିପରି ୧୫ ଦିନ ମଧ୍ୟରେ ସଂପୃକ୍ତ ସଂସ୍ଥାର ବିଷୟ ବସ୍ତୁ ବିରୋଧରେ ଆସିଥିବା ଅଭିଯୋଗକୁ ସମାଧାନ କରି ଏ ବିଷୟରେ ଘୋଷଣା କରିବାକୁ ହେବ। ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀ, ନୋଡାଲ କଣ୍ଟାକ୍ଟ ଅଧିକାରୀ ଓ ସ୍ଥାନୀୟ ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀଙ୍କ ନାଁ ମଧ୍ୟ ପ୍ରକାଶ କରିବା ବାଧ୍ୟତାମୂଳକ। ଯଦି କୌଣସି ସନ୍ଦିଗ୍ଧ ଟ୍ୱିଟ୍ କିମ୍ବା ମେସେଜ୍ ବିଷୟରେ ଖବର ପ୍ରକାଶ କରାଯାଉଛି, ତା’ହେଲେ ଏହାର ମୂଳ ଉତ୍ପତ୍ତି ବା ସ୍ରଷ୍ଟାଙ୍କ ବିଷୟରେ ଜଣାଇବାକୁ ପଡ଼ିବ। ସେହିପରି ଜାତୀୟ ସୁରକ୍ଷାପ୍ରତି ବିପଦ ସୃଷ୍ଟି କରିବା ଭଳି ଖବର ପ୍ରକାଶ କରିବା ବେଳେ ସୂତ୍ର ଦେବାକୁ ପଡ଼ିବ। କୌଣସି ଆପତ୍ତିଜନକ କଣ୍ଟେଣ୍ଟ ଥିଲେ ଏହାକୁ ୨୪ ଘଣ୍ଟା ମଧ୍ୟରେ ଅପସାରଣ କରାଯିବ। ଆସନ୍ତା ୩ ମାସ ମଧ୍ୟରେ ନୂଆ ଗାଇଡଲାଇନକୁ କାର୍ଯ୍ୟକାରୀ କରାଯିବ। ଡିଜିଟାଲ ନ୍ୟୁଜ୍ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ସେମାନଙ୍କ ତଥ୍ୟ ସାର୍ବଜନୀନ କରିବେ। ପଞ୍ଜୀକରଣ ବାଧ୍ୟତାମୂଳକ ନଥିଲେ ମଧ୍ୟ ସେମାନେ ସବୁ ତଥ୍ୟ ଦେବାକୁ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଓଟିଟି ପ୍ଲାଟଫର୍ମ ପାଇଁ ସରକାର ୩ ଥାକିଆ ଯାଞ୍ଚ୍ ବ୍ୟବସ୍ଥା କରଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଓଟିଟି ଫ୍ଲାଟଫର୍ମ ସୂଚନା ମନ୍ତ୍ରଣାଳୟ ଅଧୀନକୁ ଆସିବ। ସେହିପରି ସର୍ଭିସ ପ୍ରୋଭାଇଡର୍ ସେଲଫ କ୍ଲାସିଫିକେସନର ବ୍ୟବସ୍ଥା ମଧ୍ୟ କରିବେ। ଚାଇଲଡ୍ ଲକ୍ ସିଷ୍ଟମ ଓ ବୟସ ଭେରିଫିକେସର ବ୍ୟବସ୍ଥା ରହିବ। ଆପତ୍ତିଜନକ ଦୃଶ୍ୟ ଯେମିତି ଛୋଟ ପିଲା ଦେଖିପାରିବେ ନାହିଁ, ସେଥିଲାଗି ସର୍ଭିସ ପ୍ରୋଭାଇଡର ସ୍ୱତନ୍ତ୍ର ବ୍ୟବସ୍ଥା କରିବେ। ଯଦି ଓଟିଟି ପ୍ଲାଟଫର୍ମରେ କୌଣସି ଆପତ୍ତି ବା ଭୁଲ ଦୃଶ୍ୟ ପ୍ରସାରଣ କରାଯାଏ, ତା’ହେଲେ ଟିଭି ଭଳି ସେଥିରେ ମଧ୍ୟ ଦେଶବାସୀଙ୍କୁ ସଂପୃକ୍ତ ସଂସ୍ଥା କ୍ଷମା ମାଗିବେ। ଓଟିଟି ଫ୍ଲାଟଫର୍ମ ସେଲଫ ରେଗୁଲେଟିଂ ସଂସ୍ଥା ପ୍ରତିଷ୍ଠା କରିବେ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ କିମ୍ବା ଜଣେ ପ୍ରମୁଖ ବ୍ୟକ୍ତିଙ୍କୁ ଏହାର ମୁଖ୍ୟ ଭାବେ ନିଯୁକ୍ତ କରିବେ। ଏହି ନିୟମ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ଓଟିଟି ଷ୍ଟ୍ରିମିଂ ସର୍ଭିସ ପାଇଁ ଲାଗୁ ହେବ। ଏସବୁ ଉପରେ ସରକାରଙ୍କ ନଜର ରହିବ ବୋଲି ଜାଭଡ଼େକର କହିଛନ୍ତି। ରବିଶଙ୍କର ପ୍ରସାଦ କହିଛନ୍ତି, ସରକାର ସବୁବେଳେ ଗଠନମୂଳକ ସମାଲୋଚନାକୁ ସହ୍ୟ କରୁଛନ୍ତି। ହେଲେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରିବାକୁ ଦିଆଯିବ ନାହିଁ। ସାମାଜିକ ଗଣମାଧ୍ୟମରେ ଏମିତି ବିଷୟବସ୍ତୁ ଓ ଛବି ପ୍ରକାଶ କରାଯାଉଛି ଯେ ଯାହା କେବେ ହେଲେ ଗ୍ରହଣୀୟ ନୁହେଁ। ସାମାଜିକ ଗଣମାଧ୍ୟମ ଜରିଆରେ ବିଦେଶରୁ ଦେଶ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ତେଣୁ ଏହା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଗଣମାଧ୍ୟମର ସ୍ୱାଧୀନତା ରହିଛି। ହେଲେ ଗଣମାଧ୍ୟମ ମଧ୍ୟ ଉପଯୁକ୍ତ ସଂଯମତା ରଖି କରି ଖବର ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି।
କଣ ରହିଛି ନିୟମରେ
ଇନଫରମେସ୍ ଟେକ୍ନୋଲୋଜି ରୁଲସ ୨୦୨୧ ଅନୁସାରେ ନିୟାମକ ସଂସ୍ଥା ଏକ ସ୍ୱଂୟଶାସିତ ସଂସ୍ଥା ହେବ; ଯାହା ପବ୍ଲିଶର୍ସ ତଥା ପବ୍ଲିଶର୍ସ ଆସୋସିଏସନ୍ ଦ୍ୱାରା ଗଠିତ ହେବ। ଏହି ସଂସ୍ଥା ଭାରତର ବିଭିନ୍ନ ଅଞ୍ଚଳର ବସବାସ କରୁଥିବା ଲୋକମାନଙ୍କର ଜାତି, ଧର୍ମ ତଥା ଲିଙ୍ଗକୁ ଅନୁଧ୍ୟାନ କରି ସେମାନଙ୍କ ବିଶ୍ୱାସର ଆଧାରକୁ ଗୁରୁତ୍ୱ ଦେବା ସହିତ ସାମାଜିକ, ଭୌଗୋଳିକ, ଧାର୍ମିକ, ଲୋକକଳା, ପରମ୍ପରା ଓ ପ୍ରଥାର ଆଧାରରେ ସାବଧାନତାର ସହିତ ନିରପେକ୍ଷତା ଅବଲମ୍ବନ କରି କାର୍ଯ୍ୟ କରିବ। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ନିୟାମକ ସଂସ୍ଥା ସହିତ ମିଳିତ ଭାବରେ କାର୍ଯ୍ୟ କରିବେ। ମନ୍ତ୍ରଣାଳୟର ଦାୟିତ୍ୱ ଏହା ସୁନିଶ୍ଚିତ କରିବ କି ନିୟାମକ ସଂସ୍ଥା କୋଡ୍ ଅଫ୍ ଏଥିକ୍ସକୁ ସଠିକ୍ ତଥା ନିରପେକ୍ଷ ଭାବେ ପାଳନ କରୁଛି। ଆଇନ୍, ବିଶ୍ୱାସ ଓ ଧାର୍ମିକ ଆଧାର ଓ ଭାରତର ସାର୍ବଭୌମତ୍ୱ ବିରୋଧରେ ଏପରି କୌଣସି ପ୍ରସଙ୍ଗ ଯେପରି ପ୍ରକାଶିତ ନହୁଏ ଏଦିଗରେ ନିୟାମକ ସଂସ୍ଥା ତଥା ମନ୍ତ୍ରଣାଳୟ ଉତ୍ତରଦାୟୀ ରହିବେ। ଇଣ୍ଟରମିଡିଏରିଜ୍, ସୋସିଆଲମିଡିଆ ଇଣ୍ଟରମିଡିଏରିଜ୍, ସିଗ୍ନିଫିକାଣ୍ଟ୍ ସୋସିଆଲମିଡିଆ, ଇଣ୍ଟରମିଡିଏରିଜ୍ ଏବଂ ଓଟିଟି ପ୍ଲାଟଫର୍ମଗୁଡ଼ିକ ଆଇନ୍ ପରିସରଭୁକ୍ତ ହେବେ।