ଶାପ ପାଲଟିଛି ସାପ, ୪ ମାସରେ ମଲେଣି ୨୩୭

ଭୁବନେଶ୍ୱର,ଏନ୍ଏନ୍ଏସ୍: କିଛଦିନ ହେଲା ରାଜ୍ୟରେ ସାପ ଆତଙ୍କ ଦେଖାଦେଇଛି। ପ୍ରାୟ ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ବିଷଧର ସାପ କାମୁଡ଼ାରେ କାହାର ନା କହାର ମୃତ୍ୟୁ ଘଟୁଛି। ତେବେ ଗତ ଦୁଇଦିନ ମଧ୍ୟରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ୪ ମାସରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଛି।

ସୋମବାର ରାତିରେ ସାପ କାମୁଡ଼ାରେ କେବଳ ୩ ଜଣଙ୍କର ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଟେପାର ଗାଁରେ ମାଆ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଗଜାମ୍ବ ଗାଁରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେହିପରି ରବିବାର ରାତିରେ ସାପ କାମୁଡ଼ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, କନ୍ଧମାଳ କ. ନୂଆଗାଁ ବ୍ଲକ ଟେପାର ଗାଁର ଅଙ୍ଗନବାଡ଼ି କର୍ମୀ ରାଜଲକ୍ଷ୍ମୀ ପ୍ରଧାନ (୩୫) ଓ ୮ ବର୍ଷର ପୁଅ ଆଦିତ୍ୟ ଘରେ ଶୋଇଥିଲେ। ସୋମବାର ବିଳମ୍ବିତ ରାତିରେ ସେମାନଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ସକଳେ ଉଭୟେ ଅସୁସ୍ଥତା ଅନୁଭବ କରିବା ପରେ ପରିବାର ଲୋକେ ସେମାନଙ୍କୁ କ.ନୂଆଗାଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସିିତ ଅବସ୍ଥାରେ ସେଠାରେ ପ୍ରଥମେ ଆଦିତ୍ୟର ମୃତ୍ୟୁ ଘଟିଥିଲା ଓ ପରେ ମାଆ ରାଜଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିଲା। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଗଜାମ୍ବ ଗାଁରେ ସାପ କାମୁଡ଼ାରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି। ମୃତକ ଜଣକ ଔପଦା କଲେଜର ଯୁକ୍ତଦୁଇ ଛାତ୍ର ମାଧବାନନ୍ଦ ମାରଣ୍ଡି। ସୋମବାର ରାତିରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା।

ସେହିପରି ରବିବାର ରାତିରେ ସାପ କାମୁଡ଼ାରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ୪ବର୍ଷିୟ ପୁଅ ଓ ମାଆର ମୃତ୍ୟୁ ଘଟିଥିଲା। ସେହିପରି କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ଅନୁଗୁଳ ଜିଲ୍ଲା ବେଣ୍ଟପୁର ଗାଁରେ ସାପ କାମୁଡ଼ାରେ ଦୁଇ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଗୁରୁମ ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।

ସରକାରୀ ରିପୋର୍ଟ ଅନୁସାରେ, ରାଜ୍ୟରେ ୨୦୧୯-୨୦ରେ ସାପ କାମୁଡାରେ ୨୩୭ ଜଣଙ୍କର ମୃତ୍ୟୁ ଘଟିଛି। ୨୦୧୮-୧୯ରେ ୮୧୧, ୨୦୧୭-୧୮ରେ ୮୨୩, ୨୦୧୬-୧୭ରେ ୬୦୫ ଓ ୨୦୧୫-୧୬ରେ ୪୭୮ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ତେବେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୭୧ ଜଣ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି। ଗଞ୍ଜାମରେ ୨୪୭. ବାଲେଶ୍ୱରରେ ୨୪୨, କେନ୍ଦୁଝରରେ ୨୨୭, ଭଦ୍ରକରେ ୧୮୦ ଜଣଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ ସାପ କାମୁଡ଼ା ଜନୀତ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ବିଭିନ୍ନ ହସ୍ପିଟାଲରେ ସାପ କାମୁଡା ଇଜେକ୍ସନ ମିଳୁନଥିବା ଅଭିଯୋଗ ହେଉଛି।