ଚାଲାଣ ପାଇଁ ଥିବା କଇଁଛ ଉଦ୍ଧାର, ୪ଗିରଫ

ଚୌଦ୍ୱାର,ଏନ୍‌ଏନ୍‌ଏସ୍‌: ଚୌଦ୍ୱାର ସହର ମଧ୍ୟରେ ଚାଲାଣ କରିବା ପାଇଁ ଥିବା ଏକ କଇଁଛକୁ ଉଦ୍ଧାର କରିଛି ବନବିଭାଗ । ଚୌଦ୍ୱାର ପୌରପାଳିକା ୫ନମ୍ବର ୱାର୍ଡ ଦେହୁରୀ ସାହିରେ ଜଣକ ଘରେ ଗୋଟିଏ କଇଁଛ ଚାଲାଣ ପାଇଁ ରଖାଯାଇଥିବା ଖବର ପାଇ ଚୌଦ୍ୱାର ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏଠାରେ ଥିବା ମାୟାଧର ଦେହୁରୀଙ୍କ ଘରେ ଥିବା ଏକ କଇଁଛକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ମଧୁରଜଳ ପ୍ରଜାତିର ଏହି କଇଁଛଟିର ଓଜନ ପ୍ରାୟ ୫୫କେଜି ଥିଲା । କଇଁଛଟିକୁ ଉଦ୍ଧାର କରି ମାୟାଧରକୁ ଅଟକ ରଖି ପଚରା ଉଚୁରା ପରେ ତା ତଥ୍ୟ ଅନୁସାରେ ୧୭ନମ୍ବର ୱାର୍ଡ ନୂଆସାହିର ନୁତନ ଗୋଚ୍ଛାୟତ, ସୁରଜନ ମିର୍ଦ୍ଧା, ଗଣେଶ ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଏମାନେ କଇଁଛଟିକୁ ବିକ୍ରି କରିବା ଉଦ୍ଦେଶ୍ୟରେ ରଖିଥିଲେ । ଉଦ୍ଧାର କଇଁଛଟିକୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି । ଗିରଫ ୪ଜଣକୁ କୋର୍ଟ ଚାଲାଣ କରାଯାଇଥିବା କଥା ଡିଳିଯୋଡା ରେଞ୍ଜର ଅଭିରାମ ଜେନା ପ୍ରକାଶ କରିଛନ୍ତି । ଏହି ଚଢାଉରେ ଚୌଦ୍ୱାର ବନପାଳ ପୁରୁଷୋତ୍ତମ ସାହୁ, ଫରେଷ୍ଟ ଗାର୍ଡ ରାଜୀବ ପ୍ରଧାନ, ସୁବ୍ରତ ରାଉତ, ପ୍ରସନ୍ନ ସାହୁ, ବିଶ୍ୱନାଥ ରାଉତରାୟ, ବିଜୟ ପରିଡା ସାମିଲଥିଲେ ।