ସ୍ମାର୍ଟ ହେବ ବିଧାନସଭା ଗୃହ

ସଂଯୋଗ ହେବ ହାଇସ୍ପିଡ୍ ଇଣ୍ଟରନେଟ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ ଓ ଲବିର ପୁନରୁଦ୍ଧାର ସମ୍ପର୍କିତ କମିଟିର ସଦସ୍ୟମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକର ବିବରଣୀରୁ ପ୍ରକାଶ ଯେ ବିଧାନସଭା ଗୃହ ଓ ଲବିର ଭିତର ପାଶ୍ୱର୍ର ପୁନଃନିର୍ମାଣ କରାଯିବ।

ଏଥିନିମନ୍ତେ ପୂର୍ତ୍ତ ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ। ଏହି କମିଟିରେ ଅର୍ଥ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରତିନିଧି ସଦସ୍ୟ ରହିବେ ଓ ପୂର୍ତ୍ତ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ସଭ୍ୟ-ଆବାହକ ଭାବେ କାର୍ଯ୍ୟ କରିବେ। ବିଧାନସଭା ଗୃହକୁ ସ୍ମାର୍ଟ କୋଠାରେ ପରିବର୍ତ୍ତିତ କରାଯିବା ସହ ସ୍ଥାୟୀ ଆଲୋକମାଳାରେ ସଜ୍ଜିତ କରାଯିବ। ବିଧାନସଭା ପରିସରକୁ ଏନ୍ଆଇସି ସହାୟତାରେ ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ସହ ୱାଇଫାଇ ସୁବିଧା ମଧ୍ୟ ଦିଆଯିବ।

ନିକଟରେ ଓଡ଼ିଶା ବିଧାନସଭା ଜାତୀୟ ଇ-ବିଧାନ ଆପ୍ଲିକେସନରେ ସାମିଲ ହୋଇଛି। ବିଧାନସଭାକୁ ହାଇଟେକ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚର ୬୦ ପ୍ରତିଶତ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବାକି ୪୦ ପ୍ରତିଶତ ରାଜ୍ୟ ସରକାର ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ନିଜର ପଞ୍ଚମ ପାଳିରେ ୫-ଟି ମନ୍ତ୍ର ଉପରେ ବିଶେଷ ଭାବେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ତେଣୁ ସରକାର ମଧ୍ୟ ବିଧାନସଭାରେ ହାଇଟେକ ବ୍ୟବସ୍ଥା ଆପଣେଇବାକୁ ଅତ୍ୟନ୍ତ ଆଗ୍ରହୀ।

ସେହିପରି ବିଧାୟକମାନେ ବସୁଥିବା ୪ ଜଣିଆ ବ୍ଲକକୁ ଭାଙ୍ଗି ୨ ଜଣିଆ କରାଯିବ। ଏଥିରେ ସମସ୍ତ ପ୍ରଶ୍ନ ଉତ୍ତର, ନୋଟିସ, ସବ୍ମିଶନ ଓ ପ୍ରୋସିଡିଂ ବ୍ୟବସ୍ଥା ରହିବ। ଆଗାମୀ ବଜେଟ ଅଧିବେଶନ ମଧ୍ୟରେ ବିଧାନସଭାର ଡିଜିଟାଲାଇଜେସନ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡିଛି। ଏହାସହ ବିଧାୟକ/ବିଧାୟକିମାନଙ୍କ ବାସଗୃହ ଅଭାବ ସମସ୍ୟାକୁ ଦୂର କରିବା ପାଇଁ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରିବାକୁ ମଧ୍ୟ ଆଲୋଚନା କରାଯାଇଥିଲା।