କୋରାପୁଟ,ଏନ୍ଏନ୍ଏସ୍: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅନେକ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ସଂକ୍ରମଣ ରୋକିବାକୁ ହସ୍ପିଟାଲ୍ ଓପିଡି ବନ୍ଦ ରଖିବାକୁ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ମେଡିକାଲ କଲେଜ ଓ ହସ୍ପିଟାଲର କେତେକ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ହସ୍ପିଟାଲ ଅଧୀକ୍ଷକଙ୍କ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ହରେକୃଷ୍ଣ ଦଳେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ସହ ବିସ୍ତୃତ ଆଲୋଚନା କରି ଜୁଲାଇ ୩୧ରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଓପିଡି ବନ୍ଦ ରଖିବାକୁ ନେଇ ଘୋଷଣା କରିଥିଲେ। ଏମରର୍ଜେନ୍ସି କାଜୁଆଲଟି ସମେତ ପେଡ଼ିଏଟ୍ରିକ୍, ଆଇସୋଲେସନ୍ ୱାର୍ଡ ଓ ଲେବର୍ ରୁମ୍ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଏତଦବ୍ୟତୀତ କେବଳ ଜରୁରୀ ଚିକିତ୍ସା ନିମନ୍ତେ ରୋଗୀକୁ ହସ୍ପିଟାଲରେ ଭର୍ତ୍ତିି କରାଯିବାକୁ ନିଷ୍ପତ୍ତିି ନିଆଯାଇଥିବା ବେଳେ ଜଣେ ରୋଗୀ ସହ କେବଳ ଜଣେ ସମ୍ପର୍କୀୟ ରହିବେ। ଏହି ସମୟରେ ହସ୍ପିଟାଲ କର୍ମଚାରୀ, ରୋଗୀ ଓ ତାଙ୍କ ସମ୍ପର୍କୀୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ହସ୍ପିଟାଲ ପରିସରରେ କୌଣସି ବାହାର ବ୍ୟକ୍ତି ୨ଚକିଆ ବା ୪ଚକିଆ ଗାଡ଼ି ନରଖିବାକୁ କୁହାଯାଇଛି। ଅମାନିଆ ଗାଡ଼ି ମାଲିକଙ୍କଠାରୁ ଜୋରିମାନା ଆଦାୟ ପାଇଁ ପୁଲିସକୁ ଅନୁମତି ଦିଆଯାଇଥିବାବେଳେ ହସ୍ପିଟାଲ କର୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି କର୍ମଚାରୀ କୋରାପୁଟ ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜନସାଧାରଣଙ୍କ ସୁବିଧା ନିମନ୍ତେ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ଟେଲି ମେଡିସିନ୍ ସେବା ଆରମ୍ଭ କରାଯାଇଛି।