ସ୍କିନ୍ ନୀଳ ହେବା ସମସ୍ୟା

ଆଘାତ ଲାଗିଲେ ରକ୍ତ ଧମନୀଗୁଡିକ କ୍ଷତିଗ୍ରସ୍ତ ହୁଏ ଓ ଏହି କାରଣରୁ ସେହି ସ୍ଥାନ ନୀଳ ପଡିଯାଏ। ଡାକ୍ତରଙ୍କ ଭାଷାରେ ଏହାକୁ କଣ୍ଟୁଜନ କୁହାଯାଏ। କିନ୍ତୁ ବେଳେ ବେଳେ ବିନା ଆଘାତରେ ବି ନୀଳ ପଡିବାର ଦେଖାଯାଏ। କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ସହିତ ଯୋଡି ଦେଖନ୍ତି। ଏହା ପଛରେ ମେଡିକାଲ କାରଣ ଥାଏ। ଯଦି ବିନା ଆଘାତରେ ନୀଳ ରଙ୍ଗ ପଡୁଛି ଓ ଏହାଦ୍ୱାରା ବ୍ୟଥା ହେଉନାହିଁ ତେବେ ଚିନ୍ତାର କୌଣସି କାରଣ ନାହିଁ। କିନ୍ତୁ ଯଦି ସେପରି ଚିହ୍ନ ଯୋଗୁ ବ୍ୟଥା ହେଉଛି ତେବେ ଏହା ଗମ୍ଭୀର ସମସ୍ୟା ହୋଇପାରେ।

-ବାର୍ଦ୍ଧକ୍ୟ ଅବସ୍ଥାରେ ନୀଳ ରଙ୍ଗ ପଡିବା ଏକ ସାଧାରଣ କଥା। ଏହାକୁ ଆକ୍ଟିନିକ ପରପ୍ୟୁରା କୁହାଯାଏ। ସାଧାରଣତଃ ଏମାନଙ୍କ ହାତ ପଛରେ ନୀଳ ରଙ୍ଗ ପଡିଯାଏ। ଏହା ଲାଲ୍ ରଙ୍ଗରୁ ଆରମ୍ଭ ହୁଏ, ପରେ ବାଇଗଣି ଓ ଗାଢ଼ ରଙ୍ଗ ହୋଇ ଶେଷ ହୁଏ। ଏତେ ବର୍ଷ ଧରି ରକ୍ତ ଧମନୀ ସୂର୍ଯ୍ୟଙ୍କ କିରଣକୁ ସାମ୍ନା କରିଥିବା ଯୋଗୁ ଦୁର୍ବଳ ହୋଇଯାଇଥାଏ। ସେଥିପାଇଁ ବୟସ ବୃଦ୍ଧି ହେବା ସହିତ ସ୍କିନରେ ନୀଳ ରଙ୍ଗ ପଡେ।

-ଅନେକ ଲୋକଙ୍କର ପୋଷଣ ଅଭାବରୁ ନୀଳ ରଙ୍ଗ ପଡିବାର ଦେଖାଯାଏ। ଶରୀରରେ ବ୍ଲଡ୍ କଟିଂ ଓ ଆଘାତ ସ୍ଥାନର ଉପଚାର ପାଇଁ ଭିଟାମିନ ଓ ମିନେରାଲର ଆବଶ୍ୟକ ପଡେ। ଯଦି କୌଣସି କାରଣରୁ ଏହି ପୋଷକ ତତ୍ତ୍ୱର ଅଭାବ ହୋଇଥାଏ ତେବେ ନୀଳ ଦାଗ ପଡିବାର ଦେଖାଯାଏ। ଭିଟାମିନ-ସି ସ୍କିନ୍ ଓ ରକ୍ତ ଧମନୀର ଭିତର ପାର୍ଶ୍ୱରେ ଲାଗୁଥିବା ଆଘାତରୁ ରକ୍ଷା କରେ। ସେଥିପାଇଁ ଭିଟାମିନ-ସି’ର ଅଭାବରୁ ନୀଳ ରଙ୍ଗ ପଡିଯାଏ।

-ଜିଙ୍କ୍ ଓ ଆଇରନ ଆଘାତକୁ ଠିକ୍ କରାଇବାରେ ସହାୟକ ହୋଇଥାନ୍ତି। ଏହି ମିନେରାଲ୍ସ ଅଭାବରୁ ଏନିମିଆ ହୋଇଯାଏ ଯାହା ଶରୀର ନୀଳ ପଡିବାର କାରଣ ହୋଇଥାଏ।