ଦୁର୍ନୀତି ହଟାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ: ପୁଣି ୬ ଅଧିକାରୀ ବରଖାସ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁର୍ନୀତି ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ। ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା (ଜିରୋ ଟଲେରାନ୍ସ) ନୀତି ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ତେଣୁ ଦୁର୍ନୀତି ବିରୁଦ୍ଧରେ ତାଙ୍କର କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ୫ ଜଣଙ୍କ ପେନସନ୍ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଦୁଇମାସ ମଧ୍ୟରେ ୪୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୧୧ ଜଣଙ୍କ ପେନସନ୍ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ଏବଂ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସ୍ଥାୟୀ ଭାବରେ ପେନସନ୍ ବନ୍ଦ ହୋଇଥିବା ଅଧିକାରୀମାମାନେ ହେଲେ ବରଗଡ଼ ମୁନସିପାଲଟିର ପୂର୍ବତନ ନିର୍ବାହୀ ଅଧିକାରୀ ନବୀନ ସେଠ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ପୂର୍ବତନ ବିଡିଓ ସନାତନ ସେଠୀ, କୋରାପୁଟର ପୂର୍ବତନ ଆରଟିଓ ପୁରନ୍ଦର ପୁଜାରୀ, ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ନିରଞ୍ଜନ ଜେନା, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ପୂର୍ବତନ ଜୁନିଅର ଇଞ୍ଜିନିୟର ପୀତାମ୍ବର ପ୍ରତିହାରୀ

ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଲକ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ, ସମ୍ବଲପୁର ଜିଲ୍ଲା ଧାନକୁଡ଼ା ବ୍ଲକ ପଞ୍ଚାୟତରାଜ ବିଭାଗର ଜୁନିଅର ଇଞ୍ଜିନିୟର ବୁଦ୍ଧିରାମ ଶୁନିଆନି, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ପ୍ରୋଗ୍ରେସ ଆସିଷ୍ଟାଣ୍ଟ ସୁରେଶ ଚନ୍ଦ୍ର ମିଶ୍ର, ଅନୁଗୁଳ ଜଙ୍ଗଲ ବିଭାଗ ୱାର୍କିଂ ପ୍ଲାନ୍ ଅଫିସ ଫରେଷ୍ଟ ରେଞ୍ଜ ଅଫିସର ହେମନ୍ତ କୁମାର ପଣ୍ଡା, ବ୍ରହ୍ମପୁରର ପୂର୍ତ୍ତ ବିଭାଗ ଏନ୍ଏଚ୍ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ୱୀରାଜ ଲେଙ୍କା, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଜଳସମ୍ପଦ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଶୀଲ କୁମାର ସେଠ।
ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।