ସାମ୍ନାକୁ ଆସିଲା କରୋନାର ନୂଆ ୬ ଲକ୍ଷଣ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ଭୂତାଣୁ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହେଉଥିବା ଅଧିକାଂଶ ଲୋକଙ୍କ ଦେହରେ ଲକ୍ଷଣ ଦେଖାଯାଉ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ଙ୍କ ସୂଚନା ଅନୁସାରେ କରୋନା ଆକ୍ରାନ୍ତଙ୍କ ଠାରେ କଫ, ଜ୍ୱର ଓ ଗଳା ବିନ୍ଧା ତଥା ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା ଭଳି ଲକ୍ଷଣ ଦେଖାଯିବ। ହେଲେ ଏହି ଲକ୍ଷଣ ଅଧିକାଂଶ ଲୋକଙ୍କ ଦେହରେ ଦେଖାଯାଉ ନଥିଲେ ମଧ୍ୟ ସେମାନେ କରୋନାରେ ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡୁଛି। ଏନେଇ ଆମେରିକାର ରିସର୍ଚ୍ଚ ସଂସ୍ଥା ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧକ କେନ୍ଦ୍ର ତଥା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍(ସିଡିସି) ପକ୍ଷରୁ କରୋନା ଭୂତାଣୁ ଲକ୍ଷଣ ସମ୍ପର୍କିତ ଏକ ଗବେଷଣା ହୋଇଛି।

ଏହି ଗବେଷଣାରୁ କରୋନାର ଆଉ ଅତିରିକ୍ତ ୬ଟି ଲକ୍ଷଣ ଆକ୍ରାନ୍ତ ଦେହରେ ଦେଖାଯାଉଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ସେଗୁଡ଼ିକ ହେଲା ଅଚାନକ୍ ଥଣ୍ଡା ଲାଗିବା, ଦେହ କମ୍ପି ଉଠିବା, ମାଂସପେଶୀରେ ପୀଡ଼ା, ମୁଣ୍ଡବିନ୍ଧା, ଗଳା କୁଣ୍ଡାଇ ହେବା, ଟେଷ୍ଟଲେସ୍ ତଥା କୌଣସି ଖାଦ୍ୟପଦାର୍ଥର ସ୍ୱାଦ ବାରିପାରିବେ ନାହିଁ। ଏହି ଲକ୍ଷଣଗୁଡ଼ିକ ବିଶ୍ୱରେ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ଠାରେ ଦେଖାଯାଉଥିବା ଜଣାପଡ଼ିଛି। ଏହି ୬ ଲକ୍ଷଣକୁ ମିଶାଇ କରୋନାର ସମୁଦାୟ ୯ଟି ଲକ୍ଷଣ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇପାରିଛି।

ସେହିପରି ଭାରତ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ କରୋନାର ୩ଟି ଲକ୍ଷଣ ରହିଛି। ସେଗୁଡ଼ିକ ହେଲା ଜ୍ୱର, ହାଲିଆ ଲାଗିବା ଏବଂ ଶୁଖିଲା କାଶ। ହେଲେ କେତେକ ଆକ୍ରାନ୍ତଙ୍କ କ୍ଷେତ୍ରରେ ଆହୁରି ୫ଟି ଲକ୍ଷଣ ଦେଖାଯାଉଛି। ଯେମିତିକି ଶରୀରରେ ପୀଡ଼ା, ନାକ ବନ୍ଦ ହୋଇଯିବା, ନାକରୁ ସିଙ୍ଘାଣି ବୋହିବା, ଗଳା କୁଣ୍ଡାଇ ହେବା ଏବଂ ଝାଡ଼ା ହେବା ଭଳି ଲକ୍ଷଣ ଦେଖିବାକୁ ମିଳୁଛି।