ମହାରାଷ୍ଟ୍ରରେ ଶିବସେନାର ସରକାର ନେଇ ସମ୍ଭାବନା, କଂଗ୍ରେସ ନିଷ୍ପତ୍ତିକୁ ଅପେକ୍ଷା

ମୁମ୍ବାଇ,ଏଜେନ୍ସି: ଦ୍ୱିତୀୟ ବଡ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର କେନ୍ଦ୍ର କ୍ୟାବିନେଟରୁ ଶିବସେନା ମନ୍ତ୍ରୀ ଅରବିନ୍ଦ ସାୱନ୍ତ ଇସ୍ତଫା ଦେବା ପରେ ଏନସିପି ଶିବସେନାକୁ ସମର୍ଥନ ଦେବ ବୋଲି କହିଛି। ତେବେ ସମର୍ଥନ ଦେବା ପୂର୍ବରୁ ଦଳ କଂଗ୍ରେସର ନିଷ୍ପତ୍ତିକୁ ଅପେକ୍ଷା କରିଛି ବୋଲି କହିଛି।

ଅପରପକ୍ଷରେ ମୁମ୍ବାଇରେ ଶିବସେନା ଓ ଏନସିପିର ପରକୁ ପର ବୈଠକ ଚାଲିଥିବାବେଳେ ଏନସିପିର କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଅନ୍ୟପଟେ ଦିଲ୍ଲୀରେ କଂଗ୍ରେସର ବୈଠକ ବସିଛି । ସରକାର ଗଢିବା ପାଇଁ ବିଜେପି ଅକ୍ଷମତା ପ୍ରକାଶ କରିବା ପରେ ୫୬ ଆସନ ପାଇଥିବା ଶିବସେନାକୁ ଦ୍ୱିତୀୟ ବଡ ଦଳ ଭାବେ ସରକାର ଗଠନ କରିବାକୁ ରାଜ୍ୟପାଳ ନିମନ୍ତ୍ରଣ କରିଛନ୍ତି । ଏ ନେଇ ସୋମବାର ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ସରକାର ଗଠନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଶିବସେନାକୁ କୁହାଯାଇଛି ।

ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ଆସନ ସହ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସାମ୍ନାକୁ ଆସିଥିଲା । ଉଭୟ ବିଜେପି ଓ ଶିବସେନା ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇନାହିିଁ। ଫଳରେ ସରକାର ଗଠନ ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି।