ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ସବୁଠାରୁ ଦୀର୍ଘ ବଜେଟ୍ ଅଭିଭାଷଣ ଦେଇ ରେକର୍ଡ କରିବା ସହ ଏ କ୍ଷେତ୍ରରେ ନିଜର ପୂର୍ବ ରେକର୍ଡ ଭଙ୍ଗ କରିଛନ୍ତି। ସୀତାରମଣ ପୂର୍ବାହ୍ଣ ୧୧ଟାରେ ଲୋକସଭାରେ ବଜେଟ୍ ଭାଷଣ ଆରମ୍ଭ କରି ଅପରାହ୍ଣ ୧.୪୦ରେ ଶେଷ କରିଥିଲେ। ଦୀର୍ଘ ୧୬୦ ମିନିଟ୍ ଧରି ନିଜର ବକ୍ତବ୍ୟ ରଖିବା ସତ୍ତେ୍ୱ ବଜେଟ୍ ଅଭିଭାଷଣ ଶେଷ କରିପାରିନଥିଲେ। ଆଉ ଦୁଇପୃଷ୍ଠା ପଢ଼ିବାକୁ ବାକି ଥିଲାବେଳେ ସେ ତାଙ୍କର ଅଭିଭାଷଣ ବନ୍ଦ କରିଦେଇଥିଲେ।
ସେ ବାଚସ୍ପତିଙ୍କୁ ସମ୍ବୋଧନ କରି କହିଥିଲେ, ‘ସାର୍! ଆଉ ମାତ୍ର ଦୁଇପୃଷ୍ଠା ବାକି ଅଛି। ମୁଁ ଥକି ପଡ଼ିଥିବାରୁ ଏଇଠି ବକ୍ତବ୍ୟ ଶେଷ କରିବାକୁ ଚାହୁଁଛି।’ ଏହା କହି ସୀତାରମଣ (୬୦) ନିଜ ମୁହଁରୁ ଝାଳ ପୋଛିବା ସମୟରେ ସହଯୋଗୀ ମନ୍ତ୍ରୀମାନେ ତାଙ୍କୁ ଚକୋଲେଟ୍ ଯାଚିଥିଲେ। ଉଲ୍ଲେଖଯୋଗ୍ୟ ୨୦୧୯ ଜୁଲାଇରେ ସେ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରି ୧୩୭ ମିନିଟ୍ (୨ ଘଣ୍ଟା ୧୭ ମିନିଟ୍) ଅଭିଭାଷଣ ପ୍ରଦାନ କରିଥିଲେ, ଯାହାକି ରେକର୍ଡ ସୃଷ୍ଟି କରିଥିଲା। ଏଥର ସେ ତାଙ୍କର ସେହି ରେକର୍ଡ ଭଙ୍ଗ କରିଛନ୍ତି।
ସୀତାରମଣଙ୍କ ହାତରେ ‘ବହି ଖାତା’
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହଳଦୀ ରଙ୍ଗର ଶାଢ଼ି ପରିଧାନ କରି ବଜେଟ୍ ଉପସ୍ଥାପନ କରିବାକୁ ଆସିଲା ବେଳେ ତାଙ୍କ ହାତରେ ଥିଲା ‘ବହି ଖାତା’ (ଲେଜର)। ତାହା ଲାଲ୍ ରଙ୍ଗର କପଡ଼ାରେ ଆଚ୍ଛାଦିତ ହୋଇଥିଲା। ବସନ୍ତ ପଞ୍ଚମୀର ଦୁଇଦିନ ପରେ ସୀତାରମଣ ହଳଦୀ ରଙ୍ଗର ଶାଢ଼ି ପରିଧାନ କରି ସଂସଦରେ ପ୍ରବେଶ କରିବା ସମୟରେ ତାଙ୍କ ବଜେଟ୍ ଭାରତୀୟ ଉପଭୋକ୍ତାଙ୍କ ପାଇଁ ବସନ୍ତର ଉପହାର ଆଣିବାର ସଙ୍କେତ ଦେଇଥିଲା। ଆୟକର ଟିକସ ସ୍ଲାବ୍ରେ ସେ ପରିବର୍ତ୍ତନ ଘୋଷଣା କରିବା ମଧ୍ୟମବର୍ଗର ଟିକସଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି।