ସିଙ୍ଗିଙ୍ଗ ଡେବ୍ୟୁ କଲେ ମାଧୁରୀ

ବଲିଉଡର ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ନିଜ ନିଖୁଣ ଅଭିନୟ ବ୍ୟତୀତ ସୁନ୍ଦର ନୃତ୍ୟ ପାଇଁ ମଧ୍ୟ ଲୋକପ୍ରିୟ। ମାଧୁରୀଙ୍କ ନୃତ୍ୟ ଆଜି ମଧ୍ୟ ନୂଆପିଢ଼ିର କଳାକାରଙ୍କୁ ପ୍ରେରଣା ଦିଏ। ଡାନ୍ସ ବ୍ୟତୀତ ଗୀତ ଗାଇବାରେ ବି ମାଧୁରୀଙ୍କର ରୁଚି ରହିଛି। କେବେ କେମିତି ସେ କୌଣସି ଗୀତର ଧାଡ଼ି ଗୁଣୁଗୁଣଉଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ବର୍ତ୍ତମାନ ତ ଚତୁର୍ଥ ପର୍ଯ୍ୟାୟର ଲକଡାଉନ ଚାଲିଛି, ତେଣୁ ତାଙ୍କ ହାତରେ ପ୍ରଚୁର ସମୟ। ସେ ସମୟର ସଦୁପଯୋଗ ପାଇଁ ସେ ସିଙ୍ଗିଙ୍ଗ୍ ବା ଗୀତ ଗାଇବାରେ କ୍ୟାରିୟର ଆରମ୍ଭ କରିଛନ୍ତି।

ତାଙ୍କ କଣ୍ଠରେ ନୂଆ ଗୀତ ‘କ୍ୟାଣ୍ଡଲ’ ରିଲିଜ ହୋଇଛି। ଏ ଗୀତରେ ନିଜ ଗାୟକୀ ଦକ୍ଷତାରେ ସମସ୍ତଙ୍କୁ ଚମକେଇ ଦେଇଛନ୍ତି ମାଧୁରୀ। ଗୀତଟିକୁ ସେ ଇଂରାଜୀରେ ଗାଇଛନ୍ତି। ଭିଡିଓକୁ ସେୟାର କରି ସେ କ୍ୟାପସନ ଲେଖିଛନ୍ତି – ‘ଖୁସି ଅଛି। ଉତ୍ସାହିତ ଅଛି ଓ ଅଳ୍ପ ନର୍ଭସ୍ ବି। ଏହା ମୋର ପ୍ରଥମ ଗୀତ ରିଲିଜ ହେଲା। ଆଶା କରୁଛି, ଗୀତଟି ପ୍ରସ୍ତୁତ କଲାବେଳେ ଆମେ ଯେତେ ମଜା ନେଇଛୁ, ଶୁଣିକରି ଆପଣ ବି ସେତିକି ମଜା ନେବେ।’