ସ୍ୱିସ୍ ଓପନ୍‌: ସେମିରେ ସିନ୍ଧୁ ଓ ପ୍ରଣୟ, କାଶ୍ୟପ ବିଦା

ବାସେଲ୍‌,ଏଜେନ୍ସି: ଚଳିତ ସ୍ୱିସ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ଏକ ନମ୍ବର ମହିଳା ଖେଳାଳି ପିଭି ସିନ୍ଧୁ ଓ ପୁରୁଷ ଖେଳାଳି ଏଚ୍‌ଏସ୍ ପ୍ରଣୟ। ପୂର୍ବରୁ କ୍ୱାର୍ଟର୍‌ରେ ତୁର୍କୀର ନେସଲିହାନ୍ ୟିଗିଟଙ୍କୁ ହରାଇଥିବା ସିନ୍ଧୁ ଏହି ରାଉଣ୍ଡ୍‌ରେ ଶୁକ୍ରବାର କାନାଡାର ମିଚେଲ୍ ଲି’ଙ୍କୁ ହରାଇଛନ୍ତି। ସେ ଲି’ଙ୍କୁ ୩୬ ମିନିଟ୍ ବିଶିଷ୍ଟ ମୁକାବିଲାରେ ୨୧-୧୦, ୨୧-୧୯ରେ ପରାସ୍ତ କରି ଶେଷ ୪ ଖେଳାଳି ମଧ୍ୟରେ ସ୍ଥାନ ପାଇଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସରେ ନିଜ ଦେଶର ପାରୁପାଲୀ କାଶ୍ୟପଙ୍କୁ ୪୩ ମିନିଟ୍ ବିଶିଷ୍ଟ ମୁକାବିଲାରେ ୨୧-୧୬, ୨୧-୧୬ରେ ହରାଇଛନ୍ତି। ପୂର୍ବରୁ ଗୁରୁବାର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ହାରିବା ପରେ ଦେଶର ଅନ୍ୟତମ ପ୍ରମୁଖ ମହିଳା ଖେଳାଳି ସାଇନା ନେହ୍ୱାଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି।

ସେ ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ରାଉଣ୍ଡ୍‌ରେ ମାଲେସିଆର କିସୋନା ସେଲଭାଡୁରେଙ୍କଠାରୁ ୨୧-୧୭, ୧୩-୨୧, ୧୩-୨୧ ଗେମ୍‌ରେ ପରାସ୍ତ ହୋଇଛନ୍ତି। ଅନ୍ତର୍ଜାତୀୟ ର‌୍ୟାଙ୍କିଙ୍ଗ୍‌ରେ ସାଇନାଙ୍କ ସ୍ଥାନ ୨୩ରେ ଥିଲେ ହେଁ ଗୁରୁବାର ରାତିରେ ଖେଳାଯାଇଥିବା ମୁକାବିଲାରେ ସେ ହାରିଯାଇଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସରେ ୱାର୍ଲ୍ଡ ଚାମ୍ପିଅନଶିପ୍ ରୌପ୍ୟ ପଦକ ବିଜେତା କିଦାମ୍ବୀ ଶ୍ରୀକାନ୍ତ ଫ୍ରାନ୍ସର କ୍ରିଷ୍ଟୋ ପୋପୋଭ୍‌ଙ୍କୁ ୧୩-୨୧, ୨୫-୨୩, ୨୧-୧୧ରେ ହରାଇ କ୍ୱାର୍ଟର୍‌କୁ ଉନ୍ନୀତ ହୋଇଛନ୍ତି। ପୂର୍ବରୁ ପ୍ରଣୟ ତାଙ୍କ ଦ୍ୱିତୀୟ ରାଉଣ୍ଡ୍ ମୁକାବିଲାରେ ଫିନ୍‌ଲାଣ୍ଡ୍‌ର କାଲେ କୋଲିନେନ୍‌ଙ୍କ ବିପକ୍ଷରେ ୧୯-୨୧, ୨୧-୧୩, ୨୧-୯ରେ ବିଜୟୀ ହୋଇ କ୍ୱାର୍ଟର୍‌କୁ ଉନ୍ନୀତ ହୋଇଥିଲେ।

ଆହୁରି ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା କାଶ୍ୟପଙ୍କ ପ୍ରତିଦ୍ୱନ୍ଦ୍ୱୀ ଭିକ୍ଟର ଆକ୍ସେଲସନ୍ ଦ୍ୱିତୀୟ ରାଉଣ୍ଡ୍ ମୁକାବିଲାରୁ ଓହରିଯିବାରୁ କାଶ୍ୟପ କ୍ୱାର୍ଟର୍‌ରେ ପହଞ୍ଚିଥିଲେ। କିନ୍ତୁ ପୁରୁଷ ଡବଲ୍ସରେ ତୃତୀୟ ସିଡ୍ ଯୋଡ଼ି ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ-ଚିରାଗ୍ ଶେଟ୍ଟୀ ୧୯-୨୧, ୨୦-୨୨ରେ ପ୍ରଦ୍ୟୁମ୍ନ କୁସୁମାୱର୍ଦ୍ଦନେ ଓ ୟେରେମିଆ ଏରିକ୍ ୟୋଚେ ୟାବ୍ ରାମ୍ବିଟଶନ୍ ଯୋଡ଼ିଠାରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି। ସେହିପରି ମହିଳା ସିଙ୍ଗଲ୍ସରେ ଭାରତର ଅସ୍ମିତା ଚଲିହା ସଂଘର୍ଷପୂର୍ଣ୍ଣ ମୁକାବିଲା କରିଥିଲେ ହେଁ ଶେଷରେ ଦ୍ୱିତୀୟ ରାଉଣ୍ଡ୍ ମୁକାବଲାରେ ଅଷ୍ଟମ ସିଡ୍ ସ୍କଟଲାଣ୍ଡ୍‌ର କ୍ରିର୍ଷ୍ଟି ଗିଲମୋର୍‌ଙ୍କଠାରୁ ୧୮-୨୧, ୨୦-୨୨ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି।