କମଲନାଥ ସରକାରଙ୍କୁ ଅଡୁଆରେ ପକାଇଲେ ସିନ୍ଧିଆ, ଖୁବ୍‌ଶୀଘ୍ର ବଦଳିବ ମଧ୍ୟପ୍ରଦେଶ ଚିତ୍ର

ଭୋପାଲ,ଏଜେନ୍ସି: ମଧ୍ୟପ୍ରଦେଶ କଂଗ୍ରେସ ସରକାରର ପାଓ୍ୱାରଫୁଲ୍‌ ଲିଡର ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେବା ପରେ ଏବେ କମଲନାଥ ସରକାର ଭାଙ୍ଗିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଏହା ଏକ ବଡ଼ ସଙ୍କେତ କହିଲେ ଭୁଲ ହେବନି। ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜ୍ୟୋତିରାଦିତ୍ୟ ତାଙ୍କ ବାସଭବନରେ ଭେଟିବା ପରେ, କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର ଦଳ ମୁଖିଆ ସୋନିଆ ଗାନ୍ଧିଙ୍କୁ ପଠାଇଛନ୍ତି। ଆଉ ତାଙ୍କ ଇସ୍ତଫା ମଧ୍ୟ ଦଳ ପକ୍ଷରୁ ଗ୍ରହଣ କରାଯାଇଛି। ସିନ୍ଧିଆ କହିଛନ୍ତି ଏବେ ସମୟ ଆସିଛି ଆଗକୁ ବଢ଼ିବାକୁ । କଂଗ୍ରେସରେ ରହି ସେ କାମ କରିପାରୁ ନାହାନ୍ତି।

ସିନ୍ଧିଆ ତାଙ୍କ ଚିଠିରେ କହିଛନ୍ତି ଯେ, ମୋର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସର୍ବଦା ଆରମ୍ଭରୁ ସମାନ ରହିଆସିଛି। ରାଜ୍ୟ ତଥା ଦେଶର ଲୋକଙ୍କ ସେବା କରିବା ମୋର ଲକ୍ଷ୍ୟ। ଏହାକୁ ହିଁ ମୁଁ ବିଶ୍ୱାସ କରେ। କିନ୍ତୁ କଂଗ୍ରେସରେ ରହି ମୁଁ ଲୋକଙ୍କ ସେବା କରିପାରିବି ନାହିଁ।

ସିନ୍ଧିଆଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ଦେଇ ଲୋକସଭାରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ କହିଛନ୍ତି, ସିନ୍ଧିଆ କଂଗ୍ରେସ ଦଳରେ ବହୁ ବରିଷ୍ଠ ପଦବୀରେ ଅବସ୍ଥାପିତ ହୋଇଥିଲେ ଏବଂ ତାଙ୍କୁ ସମ୍ମାନିତ କରାଯାଇଥିଲା । ବୋଧହୁଏ ସେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ମନ୍ତ୍ରଣାଳୟର ଅଫର ଦ୍ୱାରା ଆକର୍ଷିତ ହୋଇ ଦଳ ଛାଡ଼ିଛନ୍ତି। ମଧ୍ୟପ୍ରଦେଶରେ ନୂତନ ରାଜନୈତିକ ସଙ୍କଟ ସୋମବାର (ମାର୍ଚ୍ଚ ୯) ସନ୍ଧ୍ୟାରେ ଆରମ୍ଭ ହୋଇଥିଲା। ସିନ୍ଧିଆଙ୍କୁ ସମର୍ଥନ କରୁଥିବା ମନ୍ତ୍ରୀଙ୍କ ସମେତ ପ୍ରାୟ ୨୦ ଜଣ ବିଧାୟକ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହା ପରେ ସମସ୍ତ ୨୦ ବିଧାୟକ ଇସ୍ତଫା ଦେଇଥିଲେ।