ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା,ଏନ୍ଏନ୍ଏସ୍: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ। କରୋନା କଟକଣା ମାନି ଅଭୟାରଣ୍ୟକୁ ପ୍ରବେଶ କରିବେ ପର୍ଯ୍ୟଟକ। ଦୀର୍ଘ ୬ ମାସର ବ୍ୟବଧାନ ପରେ ପର୍ଯ୍ୟଟକ ବୁଲିବେ ଶିମିଳିପାଳ ଅଭୟାରଣ୍ୟ। ଅଭୟାରଣ୍ୟକୁ ପ୍ରବେଶ ପାଇଁ ବାରିପଦା ପିଠାବଟା ଗେଟ ଦେଇ ୨୫ଟି ଓ ଜଶିପୁର କାଳିଆଣି ଗେଟ ଦେଇ ୩୫ଟି ଚାରିଚକିଆ ଯାନକୁ ଅନୁମତି ଦିଆଯାଇଛି। ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟାରୁ ୯ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ। ଚଳିତ ବର୍ଷ କୋଭିଡ ନିୟମ ମାନି ପର୍ଯ୍ୟଟକ ମାନେ ଅଭୟାରଣ୍ୟରେ ବୁଲିପାରିବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପ କର୍ତ୍ତୃପକ୍ଷ ଗାଇଡ଼ ଲାଇନ ଜାରି କରିଛନ୍ତି।

ପ୍ରତି ପର୍ଯ୍ୟଟକଙ୍କ ପିଛା ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ ପର୍ଯ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବାକୁ ବାରଣ କରାଯାଇଛନ୍ତି। ଏଥିସହ ଯାତ୍ରୀ ନିବାସ ଗୁଡିକରେ ରାତ୍ରି ଯାପନ ପାଇଁ ପର୍ଯ୍ୟଟକମାନେ www.ecotourodisha.com ୱେବସାଇଟରେ ଅଗ୍ରୀମ ବୁକିଂ ମଧ୍ୟ କରିପାରିବେ।

ଚଳିତ ଥର ପର୍ଯ୍ୟଟଙ୍କଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ତେବେ ଚଳିତ ବର୍ଷ ଶିମିଳିପାଳରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବ ମାଉଣ୍ଟେନ ସାଇକେଲିଂ। ତାଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ୟ୍ୟଟନ ସ୍ଥଳୀରେ ଭଲିବଲ, ବ୍ୟାଡମିଣ୍ଟନ, କ୍ୟାରମ ଚେସ ଆଦି ସହ ନେଟୱାର୍କର ସୁବିଧା କରାଯାଇଛି। ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ବର୍ଷା ଋତୁ ପାଇଁ ଜୁନ ମାସ ୧୫ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ହୋଇଥାଏ। ପୁନଃ ନଭେମ୍ବର ପହିଲାରେ ଖୋଲିଥାଏ।