ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ମହାବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମରେ ସୀମାନ୍ତ ପରିବାର ନବରଙ୍ଗପୁର ଆନୁକୂଲ୍ୟରେ ଆଗାମୀ ବିଷୁବ ସାହିତ୍ୟ ମିଳନ ପାଳନ ଅବସରରେ ଆନ୍ତଃମହାବିଦ୍ୟାଳୟ କୁଇଜ, କ୍ଷୁଦ୍ର ଗଳ୍ପ ଓ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସାହିତ୍ୟ ସଂସ୍କୃତିଭିତ୍ତିକ କୁଇଜ ପ୍ରତିଯୋଗିତାକୁ ଜି. ଭେଙ୍କେଟ ରେଡ୍ଡୀ, ରାମକୃଷ୍ଣ ପାତ୍ର ଓ ଡା. ରଘୁନାଥ ଶତପଥୀ ପରିଚାଳନା କରିଥିଲେ । କ୍ଷୁଦ୍ର ଗଳ୍ପ ଓ କବିତା ଲିଖନ ପ୍ରତିଯୋଗିତା କାର୍ଯ୍ୟକ୍ରମ ସୀମାନ୍ତ ପତ୍ରିକା ସମ୍ପାଦକ ଅଶୋକ ପଟ୍ଟନାୟକ, ସୁରେଶ ଚନ୍ଦ୍ର ମିଶ୍ର ଓ ଅଧ୍ୟାପିକା ଡା. ସଂଯୁକ୍ତା ପଣ୍ଡା ପରିଚାଳନା କରିଥିବାବେଳେ ଦୁର୍ଗା ପ୍ରସାଦ ପାଢ଼ୀ ଓ ପି. ରବିକାନ୍ତ ରଘୁରାମ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ନବରଙ୍ଗପୁର ମହାବିଦ୍ୟାଳୟ, ମୋଡେଲ ଡିଗ୍ରୀ କଲେଜ, ମହିଳା ମହାବିଦ୍ୟାଳୟ ଓ ବିଦ୍ୟାନିକେତନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରାୟ ୮୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । କୃତି ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆସନ୍ତା ବିଷୁବ ସାହିତ୍ୟ ଆସର ତଥା ଓଡ଼ିଆ ନବବର୍ଷ ପାଳନ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଛି । ନବରଙ୍ଗପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ମହମ୍ମଦ ଜାହାଙ୍ଗୀର, ଅଧ୍ୟାପିକା ମାନସୀ ମହାପାତ୍ର, ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀୟା ତ୍ରିପାଠୀ, ସସ୍ମିତା ବିଶ୍ୱାସରାୟ, ଅଧ୍ୟାପକ ପ୍ରିୟବ୍ରତ ସାହୁ ଏବଂ ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ ହୋତା ଓ ପୂର୍ବତନ ସଂଯୋଜକ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ପ୍ରମୁଖ ପ୍ରତ୍ୟେକ୍ଷ ଭାବେ ପରିଚାଳନାରେ ରହିଥିଲେ ।