ପ୍ରକୃତିପ୍ରେମୀ ଶିଳ୍ପା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ବଲିଉଡ ଆକ୍ଟ୍ରେସ୍ ଶିଳ୍ପା ସେଟ୍ଟୀ ପ୍ରକୃତି କୋଳରେ ଧୀର ଗତିରେ ଝୁମୁଥିବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଶିଳ୍ପା ପ୍ରକୃତିକୁ କେତେ ଯେ ଭଲପାଆନ୍ତି, ଏ ଭିଡିଓଟିରୁ ତାହା ଅନୁମାନ କରାଯାଇପାରେ। ଭିଡିଓ ସେୟାର କରିବା ସହ ଶିଳ୍ପା ଲମ୍ବା ଚଉଡ଼ା ପୋଷ୍ଟ ଲେଖିବାକୁ ଭୁଲି ନାହାନ୍ତି। ସେ ଲେଖିଛନ୍ତି – ‘ଏ ବର୍ଷ ଆମକୁ ଅନେକ କିଛି ଅନୁଭୂତି ଦେଇଛି। ପ୍ରକୃତି, ଯେଉଁଠି ଆମେ ମଣିଷମାନେ ବାସ କରୁଛୁ ତା’ ପ୍ରତି କେତେ ଅନ୍ୟାୟ କରୁଛୁ ତାହା ଚେତାଇ ଦେଇଛି। ଦଶନ୍ଧି ଦଶନ୍ଧି ଧରି ପ୍ରକୃତିକୁ ନଷ୍ଟ କରିଚାଲିଥିବାରୁ ଅନେକ ପ୍ରଜାତିର ପଶୁପକ୍ଷୀ, ବୃକ୍ଷଲତା ଲୋପ ପାଇଗଲାଣି। ବାତ୍ୟା, ଭୂମିକମ୍ପ ହେଉଛି। ଗ୍ଲୋବାଲ ୱାର୍ମିଂ ବଢ଼ୁଛି। ଏହାରି ଭିତରେ ଏକ ପ୍ରାଣଘାତୀ ଭୂତାଣୁ ଆମକୁ ଘରେ ରହିବା ପାଇଁ ବାଧ୍ୟ କରୁଛି। ଆମେ ବିରକ୍ତ ହେଉଛୁ ଓ ପ୍ରକୃତିମାତା ତା’ କୋଳରେ ସ୍ଥାନ ଦେଇ ଆମ ବିରକ୍ତି ଦୂର କରୁଛି’ ଏ ପୋଷ୍ଟ ମାଧ୍ୟମରେ ଶିଳ୍ପା ଲୋକଙ୍କୁ ପ୍ରକୃତିର ଗୁରୁତ୍ୱ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଶିଳ୍ପାଙ୍କ ଏ ପ୍ରୟାସକୁ ଢେର୍ ପ୍ରଶଂସା କରିଛନ୍ତି ପ୍ରଶଂସକ।