ବିଜେଡିରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ସାଂସଦ ପ୍ୟାରିମୋହନ ମହାପାତ୍ରଙ୍କ ବଡ଼ ଝିଅ ତଥା ସମାଜସେବୀ ସିକ୍ତା ପତି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶନିବାର ନିଜ ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସରେ ଶଙ୍ଖ ଧରିଛନ୍ତି। ବିଜେଡି ସଭାପତି ଶ୍ରୀମତି ସିକ୍ତାଙ୍କୁ ଦଳକୁ ସ୍ୱାଗତ କରିବା ସହ ତାଙ୍କର ଯୋଗଦାନ ଦଳର ଶକ୍ତି ବୃଦ୍ଧି କରିବ ବୋଲି କହିଛନ୍ତି। ସେପଟେ ମହିଳା ଓ ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରୁଥିବା କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ସିକ୍ତା କହିଛନ୍ତି।

ଏହି ଅବସରରେ ଶ୍ରୀମତି ସିକ୍ତା ଓଡ଼ିଶା ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ତେବେ ଓଡ଼ିଶା ରାଜନୀତିର ଚାଣକ୍ୟ କୁହାଯାଉଥିବା ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ବିଜେଡିରେ ସାମିଲ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଶ୍ରୀ ମହାପାତ୍ର ବିଜେଡିରେ ଥିବାବେଳେ ତାଙ୍କ ପରିବାରୁ କେହି ରାଜନୀତିରେ ପ୍ରବେଶ କରିନଥିଲେ। ତାଙ୍କ ଦେହାନ୍ତ ପରେ ସମାଜସେବା କରୁଥିବା ସିକ୍ତା ବିଜେଡିରେ ମିଶିଛନ୍ତି। ସେ ଦୀର୍ଘ ଦିନ ଧରି ଲୋକଙ୍କ ସମସ୍ୟା ସହିତ ଜଡ଼ିତ ରହିଛନ୍ତି।