ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ ନକଲି ଶିକ୍ଷକ ଧରାପଡିବା ପରେ ଗଣଶିକ୍ଷା ବିଭାଗର ନିଦ ହଜିଛି। ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମିକୁ ଗୁରୁତ୍ୱ ଦେଉଥିବା ବେଳେ ନକଲି ଶିକ୍ଷକ ନିଯୁକ୍ତି ଶିକ୍ଷାରେ ବିକାଶ ପରିବର୍ତ୍ତେ ବିନ୍ୟାସ ଘଟାଉଛନ୍ତି। ନିଯୁକ୍ତି ସମୟରେ ସାର୍ଟିଫିକେଟ୍ ତନତନ କରି ଯାଞ୍ଚ କରିବା ପରେ ମଧ୍ୟ ଜାଲ ସାର୍ଟିଫିକେଟ୍ ମାଧ୍ୟମରେ କିପରି ନିଯୁକ୍ତି ଦିଆଯାଉଛି ତାହା ମଧ୍ୟ ବିଭାଗ ଲାଗି ଚିନ୍ତାର କାରଣ ପାଲଟିଛି। ତେବେ ଶିକ୍ଷକଙ୍କ ନିଯୁକ୍ତି ଆଉ ଗଣଶିକ୍ଷା ବିଭାଗ ପକ୍ଷରୁ କରାଯିବ ନାହିଁ।
ପୂର୍ବରୁ ଏହି ବିଭାଗ ଅଧିନରେ ପରିଚାଳିତ ଏସସିଇଆରଟି ତଥା ମୁମ୍ବାଇର ଏକ ଘରୋଇ ସଂସ୍ଥାକୁ ନିଯୁକ୍ତି ଦାୟିତ୍ୱ ଦିଆଯାଉଥିଲା। ମାତ୍ର ନିଯୁକ୍ତି ସମୟରେ ଠିକ୍ ଭାବେ ଯାଞ୍ଚ କରାଯାଉନଥିବା ବେଳେ ବାହାର ରାଜ୍ୟର ସାର୍ଟିଫିକେଟଗୁଡିକର ତଦନ୍ତ ମଧ୍ୟ ଠିକ୍ ଭାବେ କରାଯାଉ ନାହିଁ। ଫଳରେ ନକଲି ଶିକ୍ଷକଙ୍କ ସମସ୍ୟା ବଢ଼ି ଚାଲିଛି ବୋଲି ଅଭିଯୋଗ ହେଉଛି। ବର୍ତ୍ତମାନ ସୁଦ୍ଧା ପ୍ର୍ରାୟ ୫୩ରୁ ଅଧିକ ନକଲି ଶିକ୍ଷକ ଧରାପଡ଼ିଥିବା ବେଳେ ରାଜ୍ୟରେ ଆହୁରି ଅଧିକ ନକଲି ଶିକ୍ଷକ ଥିବା ଅନୁମାନ କରାଯାଉଛି। ତେବେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ଶିକ୍ଷା ସହାୟକ ତଥଶ ଶିକ୍ଷକ ନିଯୁକ୍ତିର ଦାୟିତ୍ୱ ବାହାର ରାଜ୍ୟରେ ଥିବା ଏକ ପ୍ରତିଷ୍ଠିତ ସଂସ୍ଥାକୁ ପ୍ରଦାନ କରାଯିବ।
ବିଶେଷକରି ରାଜ୍ୟରେ ଥିବା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଆପଣାଯାଇଛି। ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଲାଗି ଦିଲ୍ଲୀର ଏକ ସଂସ୍ଥାକୁ ପ୍ରଦାନ କରାଯାଇଛି। ପରୀକ୍ଷା ପରିଚାଳନା, ସାର୍ଟିଫିକେଟ୍ ଯାଞ୍ଚ ସାଙ୍ଗକୁ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଚୁଡାନ୍ତ ମେଧା ତାଲିକା ବିଭାଗର ଅଧିକାରୀଙ୍କୁ ପ୍ରଦାନ କରିଥାଏ। ଫଳରେ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ମଧ୍ୟରୁ ନକଲି ସାର୍ଟିଫିକେଟ୍ ମାଧ୍ୟରେ ନିଯୁକ୍ତି ପାଇବା କଷ୍ଟକର ହୋଇପଡ଼ିଛି। ତେବେ ସେହି ଧାରାକୁ ଖୁବଶୀଘ୍ର ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୬୭ହଜାର ୮୯ଟି ସ୍କୁଲ ରହିଛି। ଏହି ସ୍କୁଲରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକଙ୍କ ସଂଖ୍ୟା ୧ଲକ୍ଷ ୯୭ହଜାର ୩୨୬ଜଣ। ଆଗକୁ ଖୁବଶୀଘ୍ର ନୁଆ ନିଯୁକ୍ତି ହେବାର ସମ୍ଭାବନା ରହିଛି। ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଲିଖିତ ପରୀକ୍ଷା ଏବଂ ମୌଖି କ ପରୀକ୍ଷା ସହ ଆବେଦନକାରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ଦାୟିତ୍ୱ ବାହାର ଅନୁଷ୍ଠାନକୁ ଦିଆଯିବ। ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ମୁଲ୍ୟାଙ୍କନ ମଧ୍ୟ ସମ୍ପୃକ୍ତ ସଂଖ୍ୟା ଦ୍ୱାରା କରାଯିବ। ପରେ ସବୁ ଉତ୍ତରଖାତାକୁ ସମ୍ପୃକ୍ତ ସଂଖ୍ୟା ବଭାଗକୁ ପ୍ରଦାନ କରିବ।
ସେହିପରି ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାୟରୁ ପାସ୍ କରିଥିବା ଆବେଦନକାରୀଙ୍କ ଲାଗି ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଯିବା ସହ ବାହାର ରାଜ୍ୟର ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ସାର୍ଟିଫିକେଟ୍ ପାଇଥିବା ପିଲାଙ୍କର ଅଲଗା ତାଲିକା ପ୍ରସ୍ତୁତ କରାଯିବ। ଓଡ଼ିଶାରେ ଯେଉଁ ସବୁ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରୁ ପିଲାଙ୍କ ପାସ୍ ସାର୍ଟିଫିକେଟ୍ ମିଳିଥିବ ସେହି ସବୁ ଅନୁଷ୍ଠାନକୁ ଗଣଶିକ୍ଷା ବିଭାଗ ସାର୍ଟିଫିକେଟ୍ ଯାଞ୍ଚ ଲାଗି ପଠାଇବ। ମାତ୍ର ବାହାର ରାଜ୍ୟର ବିଶ୍ୱବିଦ୍ୟାଳୟ ତଥଶ ଅନୁଷ୍ଠାନରୁ ସାର୍ଟିଫିକେଟ୍ ହାସଲ କରିଥିବା ପିଲାଙ୍କର ସାର୍ଟିଫିକେଟ୍ ଯାଞ୍ଚ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କରାଯିବ।
ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଣିକି ଆବେଦନ ସମୟରୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସ୍ୱଚ୍ଛତା ଲାଗି ସବୁ ସ୍ତରରେ ଅଧିକାରୀ ଏବଂ ଅନୁଧ୍ୟାନ କମିଟିର ସଦସ୍ୟ ଆବେଦନ ଫର୍ମର ଯାଞ୍ଚ କରିବେ। ଏପରିକି ଆବେଦନ ସମୟରେ ଆବେଦନକାରୀମାନେ ମଧ୍ୟ ଏକ ସତ୍ୟପାଠ ଦାଖଲ କରିବେ। ଯଦି କିଛି ମିଥ୍ୟା ତଥ୍ୟ ଥିବା ଜଣାପଡ଼େ ତେବେ ସେମାନଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩ହଜାର ୯୮୫ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ୨ୟରେ ମୟୁରଭଞ୍ଜ ଜିଲ୍ଲାରେ ୧୩ହଜାର ୮୭୬ଜଣ, ୩ୟରେ ବାଲେଶ୍ୱର ଜିଲ୍ଲାରେ ୧୦ହଜାର ୩୯୫ଜଣ ଶିକ୍ଷକ ପାଠପଢ଼ାଉଛନ୍ତି। ଖୁବଶୀଘ୍ର ସବୁ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯିବା ବୋଲି ନିଷ୍ପତ୍ତି ହୋଇôତବା ବେଳେ ଏଣିକି ନିଯୁକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିବାରୁ ଆଗକୁ ଆଉ ନକଲି ଶିକ୍ଷକ ସମସ୍ୟା ରହିବ ନାହିଁ ବୋଲି ଅନୁମାନ କରାଯାଉଛି।