ନୂଆଦିଲ୍ଲୀ,ଏଜେନ୍ସି: ନୂତନ ଶିକ୍ଷା ନୀତିକୁ ନେଇ ଆଜି ହେବ ସମ୍ମିଳନୀ। ଚଳିତ ବର୍ଷର ଶୀର୍ଷକ ରହିଛି ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଉଚ୍ଚ ଶିକ୍ଷାରେ ସଂସ୍କାର। ଦେଶରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହେବାପରେ ଏହାର କାର୍ଯ୍ୟକାରିତାକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ। ସେହିପରି ଶିକ୍ଷା ନୀତିରେ ପରିବର୍ତ୍ତନ ହେବାପରେ କିପରି ଉଚ୍ଚ ଶିକ୍ଷାରେ ସଂସ୍କାର ଆସିବ ଓ ଛାତ୍ରଛାତ୍ରୀଙ୍କୁ କିପରି ଏହାର ଫାଇଦା ମିଳିବ ସେ ନେଇ ଆଲୋକପାତ ହେବ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସମେତ ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀ ସାମିଲ ହେବେ। ଏଥିସହ ସମସ୍ତ ରାଜ୍ୟର ରାଜ୍ୟପାଳ ଓ ବିଶ୍ୱ ବିଦ୍ୟାଳୟର କୁଳପତି ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେବେ। କୋଭିଡ କଟକଣା ଯୋଗୁଁ ଏଥର ଭିଡିଓ କନଫରେନ୍ସିଂରେ ବୈଠକ ଅନୁଷ୍ଠିତ ହେବ। ତେବେ ଦୀର୍ଘ ୩୪ ବର୍ଷ ପରେ ଶିକ୍ଷା ନୀତିରେ ସଂସ୍କାର ଅଣାଯାଇଛି।