ସଟଡାଉନ ହଟିବା ପରେ ଆଜି ଖୋଲିଲା ପରିବା ମାର୍କେଟ: ସାମାଜିକ ଦୂରତା ବଜାୟ ରଖିବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର,ଏନ୍ଏନ୍ଏସ୍: କଟକ, ଭୁବନେଶ୍ୱର ଓ ଭଦ୍ରକ ସହର ଦୀର୍ଘ ୪୮ ଘଣ୍ଟା ସଟଡାଉନରେ ରହିବା ପରେ ଗତ କାଲି ରାତି ୮ଟାରେ ସଟଡାଉନ ଉଠାଯାଇଥିଲା। ତେବେ ସଟଡାଉନ ହଟିବା ପରେ ଲକଡାଉନକୁ କଡାକଡି କରାଯାଇଛି। ତେବେ ଆଜି ସକାଳେ ଭୁବନେଶ୍ୱର ଓ କଟକର ଗ୍ରୋସରୀ ଓ ପରିବା ଦୋକାନ ଖୋଲିଛି। ସଉଦା ଓ ପନିପରିବା କିଣାକିଣି ସମୟରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। କିଣାକିଣି ସମୟରେ ଦୋକାନୀ ଯଦି ସାମାଜିକ ଦୂରତା ରଖିବା ନେଇ ବ୍ୟବସ୍ଥା ନକରିବେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଦୋକନୀକୁ ସଚେତନ ଓ ଦାୟିତ୍ୱବାନ ହେବାକୁ କୁହାଯାଇଛି। ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯିବା ବେଳେ ଗାଡି ନ ଆଣିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଗାଡି ଆଣିବେ, ସେମାନଙ୍କ ଗାଡ଼ି ଜବତ କରାଯିବ। ଏପରିକି ପାସ୍ ଥାଉ କିମ୍ବା ନଥାଉ, ବଜାରରେ ଗାଡ଼ି ଦେଖିବେ ତାକୁ ସିଜ୍ କରାଯିବ ବୋଲି କହିଛି କମିସନରେଟ୍ ପୁଲିସ।

ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ଦୁଇଟି ଗାଁକୁ ସିଲ୍ କରିଛି ପ୍ରଶାସନ। ନିଶ୍ଚିତକୋଇଲି ତହସିଲର ଜୟୀରାମପୁର ଗାଁ ଓ ସାଲେପୁର ତହସିଲର କାନପୁର ଗାଁକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି। ଏ ନେଇ କଟକ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଅଞ୍ଚଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରି ଦିଆଯାଇଛି। ସୂଚନା ଅନୁସାରେ ଗତ ମାର୍ଚ୍ଚ ୨୧ ତାରିଖରେ ଦୁଇ ଗାଁକୁ ବୁଲି ଆସିଥିଲେ ଯାଜପୁରର କରୋନା ଆକ୍ରାନ୍ତ। ଏହି ଘଟଣା ଜଣାପଡିବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ।

ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳ ସିଲ୍ କଲା ବିଏମସି। କପିଳପ୍ରସାଦ ଅଂଚଳରୁ ଜଣେ କୋରନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଂଚଳକୁ ସିଲ୍ କରାଯାଇଛି । ଏହି ଅଂଚଳରୁ କେହି ବାହାରକୁ ଯିବେ ନାହିଁ ଏବଂ କେହି ଏହି ଅଂଚଳ ଭିତରକୁ ପଶିପାରିବେ ନାହିଁ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସୁନ୍ଦରପଦା ମ୍ୟୁନିସିପାଲଟି ହସପିଟାଲ ଛକରୁ କାଳୁଆଶୁଣି ମନ୍ଦିର, ସୁନ୍ଦରପଦା ମ୍ୟୁନିସିପାଲଟି ହସପିଟାଲ ଛକରୁ ସରକନ୍ତରା ନ୍ୟୁ କଲଭର୍ଟ, କାଳୁଆଶୁଣି ମନ୍ଦିରଠାରୁ ଟାଟା ପ୍ରୋଜେକ୍ଟ ଏସଇଟିପି ଏବଂ ଟାଟା ପ୍ରୋଜେକ୍ଟଠାରୁ ସରକନ୍ତରା ନ୍ୟୁ କଲଭର୍ଟ ଯାଏ ଅଂଚଳକୁ ସିଲ କରାଯାଇଛି । ସଂପୃକ୍ତ ଅଂଚଳକୁ କଂଟେନମେଂଟ୍ ଜୋନ୍ ଅର୍ଥାତ୍ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି ।