ଆଜିଠାରୁ କଟକରୁ ହଟିଛି ସଟଡାଉନ

କଟକ,ଏନ୍ଏନ୍ଏସ୍: କଟକ ମହାନଗର ନିଗମ ଅଞ୍ଚଳରୁ ସଟଡାଉନ ହଟାଇବାକୁ ସିଏମସି ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ସମୟରେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ। ସେହିପରି ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ କାର୍ଯ୍ୟକାରୀ ହେବ। ଅନ୍ୟପଟେ କୋଭିଡ କଟକଣା ସର୍ତ୍ତ ଆଧାରରେ କଟକରେ ସପିଂ ମଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପୂର୍ବପରି ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଏଥିସହିତ ସପ୍ତାହନ୍ତା ସଟଡାଉନ ନିୟମ ମଧ୍ୟ ଜାରି ରହିବ।

କଟକରେ କରୋନା ସଂକ୍ରମଣ ବଢ଼ୁଥିବା ଲକ୍ଷ କରି ଗତ ୪ ତାରିଖରେ ସିଏମସିକୁ ସଟଡାଉନ କରାଯାଇଥିଲା। ୬ ରାଉଣ୍ଡ ଆକ୍ଟିଭ ସର୍ଭିଲାନ୍ସ ଓ କଣ୍ଟାକ୍ଟଟ୍ରେସିଂ ପରେ ସ୍ଥାନୀୟ ସଂକ୍ରମଣ ହୋଇନଥିବା ସିଏମସି ସୂଚନା ଦେଇଛି। ସେହିପରି ମାଳିସାହିରୁ ରାଣୀହାଟ ପର୍ଯ୍ୟନ୍ତ ଥିବା କଣ୍ଟେନମେଣ୍ଟକୁ ମଧ୍ୟ ଉଠାଯାଇଛି।