ସଇଁତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶନିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ସଟଡାଉନ ଘୋଷଣା କରାଯାଇଛି। ଏହି କ୍ରମରେ ବଲାଙ୍ଗିର ଜିଲ୍ଲାର ସଇଁତଲା ବ୍ଲକରେ ମଧ୍ୟ ସଟଡ଼ାଉନର ପ୍ରଭାବ ଦେଖିବାକୁ ମିଳିଛି। ବ୍ଲକର ବିଭିନ୍ନ ସ୍ଥାନରେ ସମସ୍ତ ଔଷଧ ଦୋକାନ, ପେଟ୍ରୋଲ ପମ୍ପ, କ୍ଷୀର ବୁଥ, ଏଟିଏମ ଓ ଜରୁରୀ ସେବାକୁ ଛାଡି ସମସ୍ତ ବଜାର ବନ୍ଦ ରହିଛି। ଏନେଇ ବ୍ଲକ ପ୍ରଶାସନ ତରଫରୁ ଯାଞ୍ଚ କଡାକଡି କରାଯାଇଛି।
କୃଷକ ବଜାର ତଥା ବିଭିନ୍ନ ସାର ଦୋକାନ, ଡେଲି ମାର୍କେଟ ଓ ରାସ୍ତକଡ଼ରେ ବସି ପନିପରିବା ବିକ୍ରି କରୁଥିବା ବ୍ୟବସାୟୀମାନେ ମଧ୍ୟ ଦୋକାନ ଖୋଲି ନାହାନ୍ତି। ରାତ୍ରି ସମୟରେ ପୂର୍ବରୁ କର୍ଫ୍ୟୁ ବଲବତ୍ତର ରହିଥିବା ବେଳେ ସଟଡାଉନ ଯୋଗୁଁ ଏହାକୁ ଆହୁରି କଡାକଡି କରାଯାଇଛି। ସେହିପରି ଗ୍ରାମାଞ୍ଚଳ ଗୁଡ଼ିକରେ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସମ୍ପୂର୍ଣ୍ଣ ମାତ୍ରାରେ ଜନସାଧାରଣ ସହଯୋଗ କରୁଥିବା ପରିଲକ୍ଷିତ ହେଉଛି।