କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମଧୁସୂଦନ ମିଶ୍ର ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଥିଲେ। ଜିଲ୍ଲାପାଳଙ୍କ ଘୋଷଣା ଅନୁଯାୟୀ, ଶୁକ୍ରବାର ଜିଲ୍ଲାର ସମସ୍ତ ଅଞ୍ଚଳ ଜନଶୂନ୍ୟ ଥିବାବଳେ ମାଲବାହି ଟ୍ରକ୍, ଆମ୍ବୁଲାନ୍ସ, ଔଷଧ ଦୋକାନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ି ବ୍ୟତୀତ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଛି। ଜିଲ୍ଲା ସଦର ମହକୁମା ସମେତ ମୁଖ୍ୟ ବ୍ୟବସାୟିକ ସହର ଜୟପୁର, ସେମିଲିଗୁଡ଼ା, ଦାମନଯୋଡ଼ି ଓ ସୁନାବେଡ଼ା ଇତ୍ୟାଦି ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ପ୍ରଶାସନ ପକ୍ଷରୁ ସଟଡାଉନ୍ ସମ୍ପର୍କରେ ଜନସାଧାରଣଙ୍କୁ ପୂର୍ବରୁ ସୂଚନା ଦେବାସହ କରୋନା ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ନିଆ ଯାଇଥିବାରୁ ଜନସାଧାରଣ ସମ୍ପୂର୍ଣ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ବିଭିନ୍ନ ଛକରେ ପେଟ୍ରୋଲିଂ କରାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି।