ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଧୁମାଭଟା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ କଲେ ସରପଞ୍ଚ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡର ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ତଥା ପାଟଣାଗଡ଼ ସହରଠାରୁ ମାତ୍ର ୧୬ କିମି ଦୂର ଧୁମାଭଟା ଗ୍ରାମରେ ମୁମ୍ବାଇ ଫେରନ୍ତା ଜଣେ ୨୨ ବର୍ଷିୟ ଯୁବକ ଗତକାଲି ସନ୍ଧ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମଗ୍ର ଅଞ୍ଚଳରେ ଏକ ଭୟ ଏବଂ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ସରକାରଙ୍କ ଦ୍ୱାରା ପ୍ରାପ୍ତ କ୍ଷମତା ଅନୁଯାୟୀ ଧୁମାଭଟା ପଞ୍ଚାୟତର ସରପଞ୍ଚ ଯମୁନା ରଣା ସମଗ୍ର ପଞ୍ଚାୟତକୁ ସଟ୍ଡାଉନ ଘୋଷଣା କରିବା ସହ ଧୁମାଭଟା ଗ୍ରାମର ୨ଟି ପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ପ୍ରକାଶ ଯେ, ଧୁମାଭଟା ଗ୍ରାମର ଉକ୍ତ ଯୁବକ ଜଣଙ୍କ ବେଶ୍ କିଛି ଦିନ ମୁମ୍ବାଇରେ କାମ କରିବା ପରେ ଗତ ୧୪ ତାରିଖ ଦିନ ନିଜ ଗାଁରେ ପହଞ୍ଚିଥିଲେ। ତାଙ୍କୁ ଧୁମାଭଟା ବୀଣାପାଣି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଥିଲା। ଲକ୍ଷଣ ବିହୀନ ଥିବା ଉକ୍ତ ଯୁବକଙ୍କ ନମୂନା(ସ୍ୱାବ୍) ଗତ ୨୪ ତାରିଖ ଦିନ ପରୀକ୍ଷା ନିମନ୍ତେ ପଠାଯିବା ସହ ତାଙ୍କୁ ଶିବିରରୁ ଛାଡି ଦିଆଯାଇ ନିଜ ଘରେ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ଉକ୍ତ ଯୁବକ ଜଣଙ୍କ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବା ବେଳେ ପ୍ରାୟ ୪୦ରୁ ୪୨ ଜଣଙ୍କ ସହ ସଂସ୍ପର୍ଶରେ ଆସିଥବା ଜଣାଯାଇଛି।

ତେବେ ଗତକାଲି ସନ୍ଧ୍ୟାରେ ଯୁବକ ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ବଲାଙ୍ଗିରର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ବେଲପଡା ବ୍ଲକ୍ ଧୁମାଭଟା ପଞ୍ଚାୟତର ସରପଞ୍ଚ ଯମୁନା ରଣା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଆଜି ସନ୍ଧ୍ୟା ୫ଟା ୩୦ରୁ ସମଗ୍ର ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି। ଏଥିସହ ଧୁମାଭଟାର ନାୟକ ପଡା ଏବଂ ରଣା ପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାକୁ କଡାକଡି ଭାବରେ ପାଳନ କରାଯିବାକୁ ବେଲପଡା ପୁଲିସର ସହାୟତା ମଗାଯାଇଥିବା ସରପଞ୍ଚ ଶ୍ରୀମତୀ ରଣା ପ୍ରକାଶ କରିଛନ୍ତି।