ସେବାୟତ ପରିବାରକୁ ଟିକା ପ୍ରଦାନ ପାଇଁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ,ଏନ୍ଏନ୍ଏସ୍: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ପ୍ରଦାନ ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବଙ୍କୁ ଚିଠି ମାଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଦ୍ଧିବଦ୍ଧ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ଯେ, କୋଭିଡ ନେଗେଟିଭ ପ୍ରମାଣ ବିନା ଏବେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଜାନୁଆରୀ ୨୧ ଠାରୁ ଅନୁମତି ଦିଆଯାଇଛି। ଏଥିପାଇଁ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ଆସିବେ। ଭକ୍ତଙ୍କ ସମ୍ପର୍କରେ ଆସୁଥିବା ମହାପ୍ରଭୁଙ୍କ ସେବକମାନେ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ତେଣୁ ମହାପ୍ରଭୁଙ୍କ ନୀତିକାନ୍ତୀ ଯେପରି ପ୍ରଭାବିତ ନହେବ ସେଥିପାଇଁ ସମସ୍ତ ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରାଥମିକତା ଭିତ୍ତିରେ କୋଭିଡ ଟିକା ପ୍ରଦାନ କରିବାକୁ ମୁଖ୍ୟ ପ୍ରଶାସକ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ ୫ ଶହ କର୍ମଚାରୀଙ୍କୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି। ପୂର୍ବରୁ ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହେବାସହ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବାକୁ ସହମତି ପ୍ରକାଶ ପାଇଥିଲା।