ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ

ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ଏପରି ନାମକରଣ କରାଯାଇଛି। କାର୍ତ୍ତିକ ମାସରେ ରାତ୍ର ଦୁଇଘଡ଼ି ଥାଇ ଆଳତି ଅବକାଶ ସରି ତା’ପରେ ରାଧା ଦାମୋଦର ବେଶ ହୋଇ ଠାକୁର ବାଳଧୂପ ପର୍ଯ୍ୟନ୍ତ ରହନ୍ତି।

ପ୍ରଚଳିତ କଥାବସ୍ତୁ ଅନୁଯାୟୀ ଗୋପୀମାନେ କାର୍ତ୍ତିକ ବ୍ରତ ଆଚରଣ କରି ଯମୁନା କୂଳରେ ରାଧା ଦାମୋଦର ପୂଜା କରୁଥିଲେ। ନିଶି ପ୍ରହରେ ଥାଇ ଉଜାଗର ହୋଇ ଗୋପୀମାନେ ମଲ୍ଲୀ, ମାଳତୀ, ଜୁଇ, ଯାଇ, ଚମ୍ପା, କୁନ୍ଦ, କୁମୁଦ, କନିଅର, ପଦ୍ମ, କେତକୀ କଢ଼ି, କରୁବେଲି, ଗଙ୍ଗଶିଉଳି, ଅଶୋକ, ପାଟଳି, ତୁଳସୀ, ଅଁଳା ପତ୍ର, ତୋଳି ଆଣୁଥିଲେ। ବାଳଭୋଗ ପାଇଁ ଆଖୁ, କନ୍ଦମୂଳ, ଛେନା, ଶାକର, କଦଳୀ, କାକୁଡ଼ି, ନଡ଼ିଆ, ଦହି, ଡାଳିମ୍ବ, ତାଳସଜ, ଶାକର ଖଣ୍ଡ, ସରୁ ଚୁଡ଼ା, ଛେନା ଖଣ୍ଡରେ ମିଶାଇ ଅଁଳା କୋଳି, ନାଗେଶ୍ୱର କୋଳି ନେଇ ଯମୁନା କୂଳକୁ ଯାଇ ସୂର୍ଯ୍ୟଦେବଙ୍କୁ ନମସ୍କାର କରୁଥିଲେ। ଏଥିସହିତ ବାଲୁକାରେ ରାଧା ଦାମୋଦର ମୂର୍ତ୍ତି ନିର୍ମାଣ କରି ପୂଜା କରୁଥିଲେ।

କାର୍ତ୍ତିକ ବ୍ରତରେ ଦାମୋଦର ପ୍ରସନ୍ନ ହୁଅନ୍ତି। ରାଧା ଦାମୋଦର ବେଶରେ ଫୁଲ ନିର୍ମିିତ ଗୁଣା, ଚିତା ଓ ଅଧର ମାଳା ଲାଗେ। ଫୁଲଠାରୁ ଅଧିକ ସୁବର୍ଣ୍ଣ ଅଳଙ୍କାର ଲାଗେ। ମହାପ୍ରଭୁଙ୍କର ଚୁଳରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୁଳ ତ୍ରିମୁଣ୍ଡି ଉପରେ ରହିଥାଏ। ଚୁଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ। କର୍ଣ୍ଣରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ, ମସ୍ତକରେ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁନା ଅଳଙ୍କାର ସହ ପାଟଶାଢ଼ି, ଫୁଟା, ଶିରୀ କପଡ଼ା, ପହରଣ, ବଳା, ଅଧର ବଳା ଓ ଉତ୍ତରୀୟ ବସ୍ତ୍ର ଲାଗି ହୁଏ।