ପୁରୀ,ଏନ୍ଏନ୍ଏସ୍: ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି। ଏହି ଅବସରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖିବା ନେଇ ନିଷ୍ପତ୍ତି ହୋଇଛି।
ଆଜି ଦ୍ୱିତୀୟ ଭୋଗମଣ୍ଡପରେ ଶ୍ରୀଜିଉଙ୍କର ଶ୍ରୀମୁଖ ସିଂହାର ନୀତି କରାଯିବ। ଏହି ଗୁପ୍ତ ନୀତି ପାଇଁ ଶ୍ରୀମନ୍ଦିରକୁ ୪ ଘଣ୍ଟା ବନ୍ଦ କରାଯିବ। ଏହାପରେ ଆସନ୍ତାକାଲି ସକାଳ ୭ଟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ। ଆଜି ସର୍ବସାଧାରଣ ଦର୍ଶନର ତୃତୀୟ ଦିନରେ ପହଞ୍ଚିଥିବା ବେଳେ ୪ଘଣ୍ଟା ଦର୍ଶନ ବନ୍ଦ ହେଲେ ବହୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାରୁ ବଞ୍ଚିତ ହେବେ।
ସୂଚନାଯୋଗ୍ୟ, କରୋନା କଟକଣା ହଟିବା ପରେ ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର। ପ୍ରାୟ ୪ ମାସ ପରେ ସୋମବାରଠାରୁ କାଳିଆ ଦର୍ଶନ କରିବାର ସୁଯୋଗ ପାଇଥିଲେ ସମସ୍ତ ଶ୍ରଦ୍ଧାଳୁ। ଶ୍ରୀମନ୍ଦିରରେ ଆଜି ତୃତୀୟ ଦିନ ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀ ବାହାରର ଶ୍ରଦ୍ଧାଳୁ। ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ୯୬ ଘଣ୍ଟା ପୂର୍ବରୁ ଆରଟି ପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଏଥିସହ ସାଙ୍ଗରେ ପରିଚୟ ପତ୍ର ମଧ୍ୟ ଆବଶ୍ୟକ। ଏପଟେ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି ବ୍ୟାରିକେଡ୍ ନିର୍ମାଣ ସାଙ୍ଗକୁ ହାତ ସାନିଟାଇଜ୍ ପାଇଁ କରାଯାଇଛି ୮ଟି କିଓସ୍କ। ହେଲେ ଦର୍ଶନ ଆରମ୍ଭର ୨ଦିନ ପରେ ଆଜି ୪ଘଣ୍ଟା ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଜଣାପଡ଼ିବା ପରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି।