ରଣବୀରଙ୍କ ନାୟିକା ହେବେ ଶ୍ରଦ୍ଧା

ଭୁବନେଶ୍ୱର, ଏନ୍ଏନ୍ଏସ୍ : ବଲିଉଡ୍ ବିୟୁଟି ଶ୍ରଦ୍ଧା କପୁର ଲଭ ରଞ୍ଜନଙ୍କ ଅପ୍ କମିଂ ଫିଲ୍ମରେ ରଣବୀର କପୁରଙ୍କ ଲିଡିଂ ଲେଡି ଭାବେ ଦେଖିବାକୁ ମିଳିବେ। ଏଥିପାଇଁ ଶ୍ରଦ୍ଧାଙ୍କୁ ପ୍ରସ୍ତାବ ଦିଆଯିବା ପରେ ସେ ଆଗ୍ରହର ସହିତ ରାଜି ହୋଇଛନ୍ତି। ଏ ଫିଲ୍ମରେ ଅଜୟ ଦେବଗନ ମଧ୍ୟ ଦେଖିବାକୁ ମିଳିବେ। ଶ୍ରଦ୍ଧା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ଲୋକପ୍ରିୟ ହୋଇସାରିଥିଲେ ହେଁ ଆଜି ପର୍ଯ୍ୟନ୍ତ ରଣବୀର କିମ୍ବା ଅଜୟଙ୍କ ସହିତ କାମ କରିନାହାନ୍ତି। ଖୁବ୍ ଶୀଘ୍ର ଏ ଫିଲ୍ମର କାଷ୍ଟିଂ ସମ୍ବନ୍ଧରେ ବିଧିବଦ୍ଧ ଘୋଷଣା କରାଯିବ।

ପ୍ରଥମେ ଏ ଫିଲ୍ମରେ ଦୀପିକା ପାଦୁକୋନ୍ ଅଭିନୟ କରିବେ ବୋଲି ଶୁଣାଯାଉଥିଲା। ମାତ୍ର ଦୀପିକା ମନା କରିଦେବା ପରେ ଲଭ୍ ରଞ୍ଜନ ଶ୍ରଦ୍ଧାଙ୍କୁ ଅଫର୍ ଦେଇଛନ୍ତି। ଏମିତିରେ ଦେଖାଗଲେ ଶ୍ରଦ୍ଧାଙ୍କ କ୍ୟାରିୟର ଏବେ ବେଶ୍ ଭଲ ଚାଲିଛି। ‘ସାହୋ’ ପରେ ତାଙ୍କ ଅଭିନୀତ ‘ଛିଛୋରେ’ ବକ୍ସ ଅଫିସ୍ ରେ ଭଲ ବ୍ୟବସାୟ କରୁଛି। କୌଣସି ଅଭିନେତ୍ରୀଙ୍କ ପଛକୁ ପଛ ଦୁଇଟି ଫିଲ୍ମ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିବା ଖୁବ୍ କମ୍ ଦେଖିବାକୁ ମିଳେ। ‘ସାହୋ’ ୧୫୦ କୋଟି କଲେକ୍ସନ କରି ହିଟ୍ ସାବ୍ୟସ୍ତ ହୋଇଥିବାବେଳେ ୧୦୦ କୋଟି କ୍ଲବ୍ ରେ ସାମିଲ୍ ହୋଇସାରିଥିବା ‘ଛିଛୋରେ’ ଏବେ ମଧ୍ୟ ବକ୍ସ ଅଫିସ୍ ରେ ଭଲ ବ୍ୟବସାୟ ଜାରି ରଖିଛି। ଅନ୍ୟପକ୍ଷରେ ଶ୍ରଦ୍ଧା ଟାଇଗର ଶ୍ରଫଙ୍କ ସହିତ ‘ବାଗି ୩’ରେ ରିଟର୍ଣ୍ଣ କରୁଛନ୍ତି। ପୁଣି ବରୁଣ ଧୱନଙ୍କ ସହିତ ‘ଏବିସିଡି ୩’ରେ ବି ଦେଖିବାକୁ ମିଳିବେ। ଆସନ୍ତା ବର୍ଷ ଏହା ରିଲିଜ୍ ହେବ।