ସୁଟିଂ ଆରମ୍ଭ କଲେ ପଲକ

ଲୋକପ୍ରିୟ କମେଡି ସୋ’ ‘ତାରକ ମେହତା କା ଉଲ୍ଟା ଚଷମା’ରେ ସାମିଲ୍ ହୋଇଛନ୍ତି ଆଉ ଜଣେ ନୂଆ କଳାକାର। ସେ ହେଉଛନ୍ତି ପଲକ ସିଧୱାନି। ପଲକ ଏହି ସୋ’ର ଆତ୍ମାରାମ ତୁକାରାମ ଭିଡ଼େ ଏବଂ ମାଧବୀଙ୍କ ଝିଅ ସୋନୁ ଚରିତ୍ରରେ ଦେଖିବାକୁ ମିଳିବେ। ଏହି ଚରିତ୍ର ପାଇଁ କାହାକୁ ନିଆଯିବ ତାହାକୁ ନେଇ ବେଶ୍ କିଛି ଦିନ ହେଲା ଚର୍ଚ୍ଚା ଚାଲିଥିଲା। ଶେଷରେ ପଲକଙ୍କୁ ଏହି ଚରିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଛି। ପଲକ ଯଦିଓ ଏହି ସୋ’ ପାଇଁ ନୂଆ ତେବେ ବେଶ୍ କିଛି ବିଜ୍ଞାପନରେ ତାଙ୍କୁ ପୂର୍ବରୁ ଦେଖିଛନ୍ତି ଦର୍ଶକ। ରୋନିତ ରୟ ଓ ଟିସ୍କା ଚୋପ୍ରାଙ୍କ ସହ ପଲକ ଏକ ଲୋକପ୍ରିୟ ୱେବ୍ ସିରିଜରେ ମଧ୍ୟ ଦେଖିବାକୁ ମିଳିଛନ୍ତି। ସୁଯୋଗ ମିଳିବା ମାତ୍ରେ ପଲକ ମଧ୍ୟ ‘ତାରକ ମେହତା…’ ସୋ’ ପାଇଁ ଇତି ମଧ୍ୟରେ ସୁଟିଂ ଆରମ୍ଭ କରିଦେଇଛନ୍ତି। ନୂଆ ନୂଆ ସୁଟିଂରେ ଯୋଗଦେଇ ସେ ମଧ୍ୟ ଖୁବ୍ ଉତ୍ସାହିତ ହୋଇପଡ଼ିଛନ୍ତି। ସୋସିଆଲ୍ ମିଡିଆରେ ସେ ସେୟାର୍ କରିଥିବା ଫଟୋରୁ ଏହା ସ୍ପଷ୍ଟ ହେଉଛି। ସୋନୁ ଚରିତ୍ରରେ ପ୍ରଥମେ ନିଧି ଭାନୁଶାଳୀଙ୍କୁ ଦେଖିବାକୁ ମିଳୁଥିଲା। ତେବେ ଉଚ୍ଚଶିକ୍ଷା ପାଇଁ ସେ ଏହି ସୋ’ ଛାଡ଼ି ଦେଇଛନ୍ତି। ନିଧି ଛ’ ବର୍ଷରୁ ଅଧିକ ସମୟ ଧରି ଏହି ସୋ’ରେ ଅଭିନୟ କରିଥିଲେ।